ଜଳ ପ୍ରକଳ୍ପ ଅଛି, ଝରୁନି ପାଣି: ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି କୂଅ ଓ ଚୁଆ ପାଣି

ଦେବଗଡ଼: ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ କରାଯାଉଛି ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପାନୀୟ ଜଳ ପ୍ରକଳ୍ପ। କିନ୍ତୁ କିଛି ଦିନ ଉକ୍ତ ପ୍ରକଳ୍ପରୁ ଜଳଯୋଗାଣ ହେବା ପରେ ତାହା ଅଚଳ ହୋଇପଡିରହୁଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କାଳିଆପାଳ ପଞ୍ଚାୟତର ଲାଲାପଶି ଗ୍ରାମରେ କରାଯାଇଥିଲା ପାନୀୟ ଜଳ ପ୍ରଳକ୍ପ । ପ୍ରକଳ୍ପ ଅଛି ସତ କିନ୍ତୁ ପା‌ଣି ନାହିଁ। ଗ୍ରାମରେ ନଳକୂପ ବି ଅଛି ତାହା ବି ଅଚଳ । ଆଉ କୋଉଥିରୁ ମଇଳା ପାଣି ବାହାରୁଥିବାରୁ ବ୍ୟବହାର ଅନୁପଯୋଗୀ ହୋଇଛି। ପ୍ରକଳ୍ପରୁ କିଛି ଦିନ ଗ୍ରାମବାସୀ ପାଣି ପାଇବା ପରେ ବିଗତ ୩ ବର୍ଷ ହେଲା ତାହା ଅଚଳ ହୋଇପଡ଼ିରହିଛି। ଉକ୍ତପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାପାଇଁ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପ୍ରଶାସନଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟ‌ରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ,ଲାଲାପଶି ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଗ୍ରାମରେ ୩ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା ସ୍ୱଜଳଧାରା ପାନୀୟ ଜଳ ପ୍ରକଳ୍ପ।ଗ୍ରାମରେ ପ୍ରାୟ ୧୦୦ ପରିବାର ବସବାସ କରୁଛନ୍ତି। ପ୍ରକଳ୍ପରୁ କିଛି ଦିନ ପାଣି ଝରିବାପରେ ଉକ୍ତ ପ୍ରକଳ୍ପ ବର୍ତ୍ତମାନ ଅଚଳ ହୋଇପଡ଼ିରହିଛି।
ଗ୍ରାମରେ ୪ଟି ନଳକୂପ ଥିବାବେଳେ କେଉଁ ନଳକୂପରୁ ପାଣି ବାହାରୁନି ତ ଆଉ କେଉଁ ନଳକୂପରୁ ମଇଳା ପାଣି ବାହାରୁଥିବା ଯୋଗୁଁ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ଗ୍ରାମବାସୀମାନେ ଗ୍ରାମରେ ଥିବା ଚୁଆ ପାଣି ବ୍ୟବହାର କରି ନିଜର ଶୋଷ ମେଣ୍ଟାଉଛନ୍ତି। ଚୁଆ ଏବଂ କୂଅରୁ ପାଣି ନେବା ପାଇଁ ପ୍ରତ୍ୟେକ ଦିନ ମହିଳାମାନଙ୍କ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ବତ୍ତର୍ମାନ ଟାଣ ଖରା ମାଡ଼ି ଆସୁଥିବାବେଳେ ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେବା ସହିତ ଗ୍ରାମବାସୀମାନେ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ପ୍ରକଳ୍ପକୁ ତରୁନ୍ତ କାର୍ଯ୍ୟକ୍ଷମ କରିବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଆରଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ଫକୀରମୋହନ ସାହୁଙ୍କ ସହିତ ଯୋଗାଯୋଗ କରିବାରୁ ଏନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର