୨୦ ବର୍ଷ ତଳେ ବାପା ସହିଦ ହୋଇଥିଲେ: ଏବେ ସେନାରେ ଯୋଗଦେଲେ ଝିଅ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ କତ୍ତର୍ବ୍ୟରତ ଥିବା ସମୟରେ ତାଙ୍କ ପିତା ମେଜର ନବନୀତ ବତ୍ସ ସହିଦ ହେବାର ୨୦ ବର୍ଷ ପରେ ଝିଅ ଇନାୟତ ବତ୍ସ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମିରେ ପ୍ରଶିକ୍ଷଣ ନେବା ପରେ ସେ ମିଲିଟାରି ଇଣ୍ଟେଲିଜେନ୍ସ କର୍ପସରେ ଲେଫ୍ଟନାଣ୍ଟ୍‌ ଭାବେ ନିଯୁକ୍ତି ପାଇଥିଲେ। ନିକଟରେ ପାସିଂ ଆଉଟ୍ ପରେଡ୍‌ରେ ଶ୍ରୀମତୀ ବତ୍ସ ସେହି ଅଲିଭ୍ ଗ୍ରିନ୍ ୟୁନିଫର୍ମ ପିନ୍ଧିଥିଲେ, ଯାହାକୁ ତାଙ୍କ ପିତା ଏକଦା ପିନ୍ଧୁଥିଲେ। ମାତ୍ର ତିନି ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ହରାଇଥିଲେ। ଭାରତୀୟ ସେନା ଏକ୍ସରେ ‘ସ୍ୱାଗତଂ, ଆର୍ମି ଝିଅ ଲେଫ୍ଟନାଣ୍ଟ୍‌ ଇନାୟତ ବତ୍ସ’ ଲେଖି ସ୍ବାଗତ କରିବା ସହ ୟୁନିଫର୍ମ ପିନ୍ଧିଥିବା ଶ୍ରୀମତୀ ବତ୍ସଙ୍କ ଏକ ଫଟୋ ପୋଷ୍ଟ କରିଛି। ଫଟୋରେ ତାଙ୍କ ମା’ ଶିବାନୀ ବତ୍ସ ମଧ୍ୟ ତାଙ୍କ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।

ମେଜର ନବନୀତ ବତ୍ସ ଚଣ୍ଡିଗଡ଼ର ବାସିନ୍ଦା ଥିଲେ ଏବଂ ୩ ଗୋର୍ଖା ରାଇଫଲ୍ସ ରେଜିମେଣ୍ଟର ଚତୁର୍ଥ ବାଟାଲିୟନରେ ଯୋଗ ଦେଇଥିଲେ। ନଭେମ୍ବର ୨୦୦୩ରେ ଶ୍ରୀନଗରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସେ ସହିଦ ହୋଇଥିଲେ। ତାଙ୍କ ସାହସିକତା ଏବଂ ସର୍ବୋଚ୍ଚ ବଳିଦାନ ପାଇଁ ତାଙ୍କୁ ବୀରତା ପୁରସ୍କାର ଓ ସେନା ପଦକ ପ୍ରଦାନ କରାଯାଇଥିଲା। ଇନାୟତ ବତ୍ସ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜର ସ୍ନାତକ ଅଟନ୍ତି। ତା’ପରେ ସେ ସେହି ବିଶ୍ବବିଦ୍ୟାଳୟର ହିନ୍ଦୁ କଲେଜରେ ରାଜନୀତି ବିଜ୍ଞାନରେ ପିଜି କରିବା ବେଳେ ଏପ୍ରିଲ ୨୦୨୩ରେ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର