ବର୍ଷୀୟାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ଦେହାନ୍ତ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ତଥା ବର୍ଷୀୟାନ ନେତା ମୋତିଲାଲ ଭୋରାଙ୍କର ଆଜି (ସୋମବାର) ଦିଲ୍ଲୀର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା।

କଂଗ୍ରେସ ନେତା ମୋତିଲାଲ ଭୋରା ତାଙ୍କର ୯୩ ତମ ଜନ୍ମଦିନ ପାଳନ କରିବାର ଗୋଟିଏ ଦିନ ପରେ ଆଜି ଦିଲ୍ଲୀର ଫୋର୍ଟିସ୍‌ ଏସ୍କର୍ଟ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ଅକ୍ଟୋବରରେ ମୋତିଲାଲ ଭୋରା କୋଭିଡ-୧୯ ସଂକ୍ରମିତ ଥିବା ଚିହ୍ନଟ ହୋଇଥିଲେ। କୋଭିଡ୍‌-୧୯ ପାଇଁ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ଅକ୍ଟୋବର ୧୬ରେ ଏମ୍ସରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ। ପରେ ସେ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ଅନୁଭବ କରିବା କାରଣରୁ ତାଙ୍କୁ ଡିସେମ୍ବର ୧୯ରେ ଦିଲ୍ଲୀର ଏସକର୍ଟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

କଂଗ୍ରେସ ନେତା ଶ୍ରୀ ଭୋରା ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଛତିଶଗଡରୁ ରାଜ୍ୟସଭା ସଦସ୍ୟ ଥିଲେ। କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ଦ୍ୱାରା ନିକଟରେ କରା ଯାଇଥିବା ଦଳ ପୁନର୍ଗଠନରେ ତାଙ୍କୁ ଏଆଇସିସି ସାଧାରଣ ସମ୍ପାଦକ (ପ୍ରଶାସନ) ରୂପେ ତାଙ୍କୁ ନିଯୁକ୍ତ କରାଯାଇଥିଲା। ଗାନ୍ଧୀ ପରିବାରର ଅତ୍ୟନ୍ତ ବିଶ୍ୱସ୍ତ ରହି ଆସିଥିବା ଶ୍ରୀ ଭୋରା ଏହା ପୂର୍ବରୁ କଂଗ୍ରେସ ଦଳର କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ସେ ରାଜ୍ୟସଭା ସଦସ୍ୟ ଭାବରେ ଅନେକ ଥର କାର୍ଯ୍ୟ କରିଥିଲେ ଏବଂ ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ମଧ୍ୟ ରହିଥିଲେ।

ମାର୍ଚ୍ଚ ୧୩, ୧୯୮୫ରେ ଭୋରା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। କେନ୍ଦ୍ର ସରକାରରେ ଯୋଗଦେବା ପାଇଁ ସେ ଫେବ୍ରୁଆରି ୧୩, ୧୯୮୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଦୁଇ ମାସ ମଧ୍ୟରେ ତରୁଣ ଗୋଗୋଇ ଏବଂ ଅହମ୍ମଦ ପଟେଲଙ୍କ ପରେ ମୋତିଲାଲ ଭୋରା ହେଉଛନ୍ତି କଂଗ୍ରେସର ତୃତୀୟ ବରିଷ୍ଠ ନେତା ଯାହାଙ୍କର ପରଲୋକ ଘଟିଛି।

ସମ୍ବନ୍ଧିତ ଖବର