ଚେନ୍ନାଇରେ କରୋନା ତଥ୍ୟ ଭୁଲ୍‌, ୨୩୬ ଅଧିକ ମୃତ୍ୟୁ

ମୁଖ୍ୟମନ୍ତ୍ରୀ କହିଲେ କିଛି ଲୁଚାଇବାର ନାହିଁ

ଚେନ୍ନାଇ: ଚେନ୍ନାଇରେ କରୋନା ଭାଇରସ୍‌ ଯୋଗୁଁ ପ୍ରକୃତରେ ୪୬୦ ଜଣଙ୍କ ମୃତ୍ୟୁ ହୋଇଛି। ଡିପିଏଚ୍‌ ( ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ) ଦ୍ବାରା ‌ଘୋଷଣା ହୋଇଥିବା ମୃତ୍ୟୁସଂଖ୍ୟା ପୂର୍ବରୁ ଦର୍ଶାଯାଇଥିବା ମୃତ୍ୟୁ ସଂଖ୍ୟାର ୨ ଗୁଣ ବୋଲି ଜଣାପଡ଼ଛି। ଡିପିଏଚ୍ ଅଫିସର୍‌ଙ୍କ ଏକ ଟିମ୍‌ ଗତ ମଙ୍ଗଳବାର ଏହା ଜାଣିବାକୁ ପାଇଥିଲେ ଯେ, ଗ୍ରେଟର ଚେନ୍ନାଇ ନିଗମର ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ରେକର୍ଡ କରାଯାଇଥିବା ମୃତ୍ୟୁ ପଂଜିକାରେ ରାଜ୍ୟ ପଂଜିକା ତୁଳନାରେ ଅଧିକ ୨୩୬ ମୃତ୍ୟୁ ସଂଖ୍ୟା ରହିଛି। ଯଦି ରାଜ୍ୟ ପଂଜିକାରେ ଏହି ତଥ୍ୟ ସାମିଲ କରାଯିବ ତେବେ ତାମିଲନାଡ଼ୁରେ ମୃତ୍ୟୁ ହାର ୦.୭ ପ୍ରତିଶତ ନରହି ୧.୫ ପ୍ରତିଶତ ରହିବ। ଗତ ମଙ୍ଗଳବାର ଦିନ ପେରାମୁର ରେଳବାଇ ହସ୍ପିଟାଲ୍‌ରେ ୨୦ କୋଭିଡ୍‌ ମୃତ୍ୟୁ ହୋଇଥିଲା। ତେବେ ଏସମ୍ପର୍କରେ କୋଭିଡ୍‌ -୧୯ ରାଜ୍ୟ ନୋଡାଲ୍‌ ଅଫିସ୍‌କୁ ତଥ୍ୟ ଦିଆଯାଇନଥିଲା।

ଅନ୍ୟପକ୍ଷେ ସ୍ବାସ୍ଥ୍ୟ ମନ୍ତ୍ରୀ ସି ବିଜୟଭାସ୍କର କହିଛନ୍ତି, ରାଜ୍ୟ ପକ୍ଷରୁ ସଠିକ୍‌ ତଥ୍ୟ ଦିଆଯାଉଛି। ଅଧିକାଂଶ ସରକାରୀ ଏବଂ ଘରୋଇ ହସ୍ପିଟାଲ୍‌ଗୁଡ଼ିକ ରାଜ୍ୟକୁ ତଥ୍ୟ ଦେବାରେ ବିଳମ୍ବ କରୁଥିବାରୁ ଏଭଳି ଭୁଲ୍‌ ହୋଇଛି। ସପ୍ତାହକ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ ହୋଇଛି । ଏନେଇ ତଦନ୍ତ ଆରମ୍ଭ ହୋଇଯାଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ ମଧ୍ୟ କହିଛନ୍ତି, ଆମେ ମୃତ୍ୟୁ ସଂଖ୍ୟା ଲୁଚାଉ ନାହୁଁ। ଚେନ୍ନାଇରେ ଜନସଂଖ୍ୟା ଅଧିକ ହୋଇଥିବାରୁ ଏଠାରେ ସଂକ୍ରମଣ ମାମଲା ଅଧିକ ରହୁଛି ବୋଲି ପଲାନିସ୍ବାମୀ କହ‌ିଛନ୍ତି। ତାମିଲନାଡ଼ୁରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର