୨୩ ସାଂସଦଙ୍କ ନାମରେ ଅପରାଧିକ ମାମଲା: ୫୭ ରାଜ୍ୟସଭା ସାଂସଦଙ୍କ ଭିତରେ ୫୩ ଜଣ କୋଟିପତି

ଭୁବନେଶ୍ବର: ଚଳିତମାସରେ ରାଜ୍ୟସଭାକୁ ୫୭ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ହେଉଛନ୍ତି କୋଟିପତି। ସାଂସଦମାନେ ଦେଇଥିବା ସତ୍ୟପାଠ ରିପୋର୍ଟକୁ ବିଶ୍ଳେଷଣ କରିବା ପରେ ଏଡିଆର୍‌ (ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିସର୍ଚ୍ଚ) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହି ବିଷୟ ସାମ୍ନାକୁ ଆସିଛି। ଅର୍ଥାତ୍ ଚଳିତମାସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସମୁଦାୟ ସାଂସଦଙ୍କ ମଧ୍ୟରୁ ୯୩ ପ୍ରତିଶତ ସାଂସଦ ହେଉଛନ୍ତି କୋଟିପତି। ଏଥିରେ ବିଜେଡିର ୩ ଜଣ କୋଟିପତି ସାଂସଦ ରହିଛନ୍ତି।

୫୩ କୋଟିପତି ରାଜ୍ୟସଭା ସାଂସଦଙ୍କ ଭିତରୁ ‌ତେଲେଙ୍ଗାନାର ଟିଆର୍‌ଏସ୍‌ ସାଂସଦ ଡ ବି ପାର୍ଥ ସାରଥୀଙ୍କ ସମ୍ପତ୍ତି ସର୍ବାଧିକ ୫୩୦୦ କୋଟି ଟଙ୍କା ରହିଛି। ନବ ନିର୍ବାଚିତ କୋଟିପତି ସାଂସଦଙ୍କ ମଧ୍ୟରେ ସେ ଶୀର୍ଷରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ଉତ୍ତର ପ୍ରଦେଶରୁ ସମାଜବାଦୀ ପାର୍ଟି ସମର୍ଥନରେ ନିର୍ବାଚିତ ହୋଇଥିବା କପିଲ ସିବଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସଂପତ୍ତି ୬୦୮ କୋଟି ଟଙ୍କା ରହିଛି। ସେହିଭଳି ତୃତୀୟ ସ୍ଥାନରେ ପଞ୍ଜାବରୁ ଆପ୍‌ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିକ୍ରମଜିତ ସିଂହ ରହିଛନ୍ତି। ‌ତାଙ୍କର ମୋଟ ସଂପତ୍ତି ୪୯୮ କୋଟି ଟଙ୍କା ରହିଛି। ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ରର ଏନସିପି ନେତା ପ୍ରଫୁଲ୍ଲ ପଟେଲ(୪୧୬ କୋଟି), ପଞ୍ଚ‌ମରେ ହରିୟାଣାରୁ ନିର୍ବାଚିତ କାର୍ତ୍ତିକ ଶର୍ମା (୩୯୦ କୋଟି), ଷଷ୍ଠରେ ମସ୍‌ଥାନ ରାଓ ବିଦା (୨୪୩ କୋଟି), ସପ୍ତମରେ ପି ଚିଦମ୍ବରମ(୧୯୭ କୋଟି), ଅଷ୍ଟମରେ ରାଜସ୍ଥାନର ମୁକୁଲ ୱାସନିକ(୧୩୧ କୋଟି), ନବମ ସ୍ଥାନରେ ତେଲେଙ୍ଗାନାର ଦି ଦାମୋଦର ରାଓ (୧୨୪ କୋଟି) ଏବଂ ଦଶମ ସ୍ଥାନରେ ଭି ତନ୍‌ଖା (୧୦୫ କୋଟି) ରହିଛନ୍ତି।

ଓଡ଼ିଶାରୁ ରାଜ୍ୟସଭାକୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିବା ଚାରି ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୩ ଜଣ କୋଟିପତି। ସେମାନଙ୍କ ମଧ୍ୟରୁ ମାନସ ମଙ୍ଗରାଜଙ୍କ ସଂପତ୍ତି ୮ କୋଟି ୭୯ ଲକ୍ଷ, ସସ୍ମିତ ପାତ୍ରଙ୍କ ସଂପତ୍ତି ୨ କୋଟି ୬୯ ଲକ୍ଷ, ସୁଲତା ଦେଓଙ୍କ ସଂପତ୍ତି ୧ କୋଟି ୬୮ ଲକ୍ଷ ଟଙ୍କାରୁ ଅଧିକ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।
ଅନ୍ୟପକ୍ଷରେ ନିର୍ବାଚିତ ୫୭ ଜଣ ସାଂସଦଙ୍କ ମଧ୍ୟରୁ ୨୩ ଜଣ ବା ୪୦ ପ୍ରତିଶତ ସାଂସଦଙ୍କ ନାମରେ ଅପରାଧିକ ମାମଲା ରହିଛି। ୧୨ ଜଣ (୨୧ ପ୍ରତିଶତ) ସାଂସଦଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି। ଜଣେ ସାଂସଦଙ୍କ ନାମରେ ହତ୍ୟା ମାମଲା ଥିବାବେଳେ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ଏବଂ ଜଣେ ସାଂସଦଙ୍କ ନାମରେ ମହିଳାଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ନିର୍ବାଚିତ ୩ ରାଜ୍ୟସଭା ସାଂସଦଙ୍କ ନାମରେ କୌଣସି ଅପରାଧିକ ମାମଲା ନଥିବା ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ(ଏଡିଆର) ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର