ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣା: ଡାକ୍ତର ଅନାହିତା ପାଣ୍ଡୋଲେଙ୍କ ବିରୋଧରେ ରୁଜୁ ହେଲା ମାମଲା

ମୁମ୍ବାଇ: ଚଳିତ ବର୍ଷ ସେପ୍ଟେମ୍ବର ମାସରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ କାର ଦୁର୍ଘଟଣାରେ ବ୍ୟବସାୟୀ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ ପୁଲିସ ଆଜି ମୁମ୍ବାଇର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼. ଅନାହିତା ପାଣ୍ଡୋଲେଙ୍କ ବିରୋଧରେ ମାମଲା ରୁଜୁ କରିଛି। ପାଲଘର ପୁଲିସ ପକ୍ଷରୁ କାରର ଡାଟା ଚିପ ବିଶ୍ଳେଷଣ, ମର୍ସିଡିଜ-ବେଞ୍ଜର ଚୂଡ଼ାନ୍ତ ରିପୋର୍ଟ ଏବଂ ପାଣ୍ଡୋଲେଙ୍କ ସ୍ୱାମୀ ଡାରିଅସ ପାଣ୍ଡୋଲେଙ୍କ ବିବୃତ୍ତି ଆଧାରରେ ଏହି ମାମଲା ପଞ୍ଜିକୃତ ହୋଇଛି। ପାଣ୍ଡୋଲେଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଓ ମୋଟର ଯାନ ଅଧିନିୟମ ଆଧାରରେ ମାମଲା ରୁଜୁ ହୋଇଛି | ସୂଚନା ଥାଉ କି ପାଣ୍ଡୋଲେ, ଡାରିୟସ୍ ଏବଂ ମିସ୍ତ୍ରୀ ଗୁଜୁରାଟରୁ ମୁମ୍ବାଇ ଅଭିମୁଖେ ଫେରୁଥିବାବେଳେ ପାଲଘରର ସୂର୍ଯ୍ୟ ନଦୀ ବ୍ରିଜରେ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଏହି ଦୁର୍ଘଟଣାରେ ମିସ୍ତ୍ରୀ ଏବଂ ତାଙ୍କ ବନ୍ଧୁ ଡାରିୟସଙ୍କ ଭାଇ ଜାହାଙ୍ଗୀର ପାଣ୍ଡୋଲଙ୍କ ମୃତ୍ୟୁ ହୋଇଥିଲା । ଡକ୍ଟର ପାଣ୍ଡୋଲେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଡାରିୟସଙ୍କୁ ଏହି ସପ୍ତାହ ପୂର୍ବରୁ ଡିସଚାର୍ଜ କରାଯାଇଥିଲା। ଗତ ମଙ୍ଗଳବାର ଦିନ ତାଙ୍କ ଦକ୍ଷିଣ ମୁମ୍ବାଇ ନିବାସରେ ପୁଲିସ ଡାରିୟସଙ୍କ ବୟାନ ରେକର୍ଡ କରିଥିଲା ।

ଡାରିୟସ ପାଣ୍ଡୋଲେ ପୁଲିସକୁ କହିଛନ୍ତି ଯେ ତାଙ୍କ ପତ୍ନୀ ଅନାହିତା ତୃତୀୟ ଲେନରେ ମର୍ସିଡିଜ୍-ବେଞ୍ଜ୍ କାର୍ ଚଳାଉଥିଲେ ଏବଂ ପାଲଘରର ସୂର୍ଯ୍ୟ ନଦୀ ବ୍ରିଜ୍ ଉପରେ ରାସ୍ତା ସଂକୀର୍ଣ୍ଣ ହେବାପରେ କାରଟି ତୃତୀୟ ଲେନରୁ ଦ୍ୱିତୀୟ ଲେନକୁ ନେଇପାରିନଥିଲେ | ସେ କହିଛନ୍ତି ଯେ ସୂର୍ଯ୍ୟ ନଦୀର ସେତୁ ଉପରେ ଏହି ରାସ୍ତା ସଂକୀର୍ଣ୍ଣ ହୋଇଯାଇଥିଲା | ଯାହା ପରେ ଏହି ଦୁର୍ଘଟଣା ଘଟିଥିଲା ​​| ପୁଲିସ ଶୁକ୍ରବାର ଦିନ କହିଛି ଯେ ଡାରିୟସ ପାଣ୍ଡୋଲେଙ୍କ ବିବୃତ୍ତି ରେକର୍ଡ କରାଯାଇଛି, କିନ୍ତୁ ତାଙ୍କ ପତ୍ନୀ ଅନାହିତା ପାଣ୍ଡୋଲେଙ୍କ ବିବୃତ୍ତି ରେକର୍ଡ ହୋଇନାହିଁ କାରଣ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର