ପୁଲିସ ଡ଼ିଏସପିଙ୍କୁ ନେଇ ତେଜିଲା ରାଜନୀତି, ବିଜେପି-କଂଗ୍ରେସ ମୁହାଁମୁହିଁ

ଶ୍ରୀନଗର: ଜାମ୍ମୁକାଶ୍ମୀର ପୁଲିସ ଡ଼ିଏସପିଙ୍କ ମାମଲାରେ ସରଗରମ ହୋଇଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ | ଜାମ୍ମୁକାଶ୍ମୀର କୁଲଗାମରୁ ଗିରଫ ହୋଇଥିବା ପୁଲିସ ଡ଼ିଏସପି ଦେବେନ୍ଦ୍ର ସିଂଙ୍କ ମାମଲାରେ ରାଜନୀତି ଜୋର ଧରୁଛି । ପ୍ରଥମେ ଏହି ପ୍ରସଙ୍ଗରେ କଂଗ୍ରେସ, ବିଜେପିକୁ ଟାର୍ଗେଟ କରିବା ସହ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲା । ଏବେ ପାଲଟା ଆକ୍ରମଣ କରି କଂଗ୍ରେସ, ହିନ୍ଦୁଙ୍କୁ ଆତଙ୍କବାଦୀ ଘୋଷଣା କରିବାକୁ ଚାହୁଁଛି ବୋଲି ବିଜେପି କହିଛି ।

ଆତଙ୍କବାଦ ପ୍ରସଙ୍ଗରେ ଧର୍ମକୁ ନେଇ ରାଜନୀତି କରୁଛି ବୋଲି କହିବା ସହ କଂଗ୍ରେସ ପାକିସ୍ତାନର ପକ୍ଷ ନେଉଥିବା କହିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଏହା ପୂର୍ବରୁ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ କହିଥିଲେ, ଦେବେନ୍ଦ୍ର ସିଂ ଯଦି ଦେବେନ୍ଦ୍ର ଖାନ ହୋଇଥାନ୍ତେ ତେବେ ଆରଏସଏସର ଟ୍ରଲ ପାର୍ଟି ତାଙ୍କୁ ନେଇ ଅଧିକ ପ୍ରତିକ୍ରିୟାଶୀଳ ହୋଇଥାନ୍ତେ । କିନ୍ତୁ ଦେଶର ଶତ୍ରୁମାନଙ୍କୁ ସେମାନଙ୍କ ଜାତି ଓ ଧର୍ମ ଦେଖି ବାଛବିଚାର କରିବା ଉଚିତ ନୁହେଁ । ଅପରପକ୍ଷରେ ଦେବେନ୍ଦ୍ର ସିଂଙ୍କୁ ଗିରଫ କରିବା ପ୍ରସଙ୍ଗର ରାଜନୀତିକରଣକୁ ନାପସନ୍ଦ କରାଯାଇଛି ।

ଏଠାରେ ସୂଚନା ଥାଉ କି ଶନିବାର ବିଳମ୍ବିତ ରାତିରେ ଶ୍ରୀନଗର ଅଭିମୁଖେ ଦ୍ରୁତ ଗତିରେ ବଢିଚାଲିଥିଲା ଆଇ୍-ଟେନ୍ ଗାଡି ଏବଂ ଗୁଇନ୍ଦା ସୂଚନା ଅନୁଯାୟୀ ଏହି ଗାଡିର ପିଛା କରୁଥିଲେ ପୁଲିସ ଡିଆଇଜି ଅତୁଲ ଗୋୟଲ । ଏହି ଗାଡିରେ ଡ଼ିଏସପି ଦେବେନ୍ଦ୍ର ସିଂଙ୍କ ସହ ଥିଲା ହିଜବୁଲ ମୁଜାହିଦ୍ଦିନର ନମ୍ବର ଟୁ କୁହାଯାଉଥିବା ନଭିଦ ବାବୁ ଓ ରଫି । ମିଳିଥିବା ସୂଚନା ଅନୁସାରେ ଏମାନଙ୍କୁ ଖସାଇ ଦେବା ପାଇଁ ୧୨ଲକ୍ଷ ଟଙ୍କାର ଡିଲ୍ କରିଥିଲେ ଦେବେନ୍ଦ୍ର ସିଂ । ତେବେ ଜବାହାର ଟନେଲ ପୂର୍ବରୁ ଏମାନଙ୍କୁ ଗିରଫ କରାଯାଇଥିଲା । ପୁଲିସର କହିବା ମୁତାବକ ଜବାହାର ଟନେଲ ଅତିକ୍ରମ କରିଯାଇଥିଲେ ଏମାନଙ୍କୁ ଗିରଫ କରିବା କଷ୍ଟକର ହୋଇପଡିଥାନ୍ତା ।

ସମ୍ବନ୍ଧିତ ଖବର