ବିବାହ ବିଚ୍ଛେଦ ଦୁଃଖଦାୟକ: ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ : ବିଲ୍‌ ଓ ମେଲିଣ୍ଡା ଗେଟସ୍‌ ପରସ୍ପର ଠାରୁ ଆନୁଷ୍ଠାନିକ ଭାବେ ଅଲଗା ହେବାର ଦୁଇ ଦିନ ପରେ ବିବାହ ବିଚ୍ଛେଦକୁ ନେଇ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍‌ସ ମୁହଁ ଖୋଲିଛନ୍ତି। ବିଚ୍ଛେଦ ବେଶ ଦୁଃଖଦାୟକ ବୋଲି ସେ କହିଛନ୍ତି। ସିଏନ୍‌ଏନ୍ ସହିତ ଏକ ସାକ୍ଷାତକାରରେ ବିଲ୍ ଗେଟ୍‌ସ କହିଛନ୍ତି ଯେ ମେଲିଣ୍ଡା ଜଣେ ବହୁତ ଭଲ ମଣିଷ। ଆମର ଏହି ସମ୍ପର୍କ ଶେଷ ହେବା ବ୍ୟକ୍ତିଗତ ସ୍ତରରେ ଅତ୍ୟନ୍ତ ଦୁଃଖଦାୟକ ହୋଇଛି। ତେବେ ଏହି ଘଟଣା ଦ୍ବାରା ଗେଟ୍‌ସ ଫାଉଣ୍ଡେସନ କାର୍ଯ୍ୟ ଯେଭଳି ପ୍ରଭାବିତ ନହୁଏ ତାହା ନିଶ୍ଚିତ କରିବା ଲାଗି ଉଭୟ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟନଙ୍କ ସହ ମିଳାମିଶାକୁ ନେଇ ହେଉଥିବା ଅଭିଯୋଗ ସମ୍ପର୍କରେ ଗେଟ୍‌ସ କହିଛନ୍ତି ଯେ ମୁଁ ତାଙ୍କ ସହ ‌ଅନେକ ରାତ୍ରୀଭୋଜନରେ ଯୋଗ ଦେଇଥିଲି। ସେତେବେଳେ ମୋର ଅଭିପ୍ରାୟ ଥିଲା ଦାତବ୍ୟ କାର୍ଯ୍ୟ ଲାଗି ଅଧିକ ପାଣ୍ଟି ଯୋଗଡ଼ କରିବା। ମାତ୍ର ତାଙ୍କ ସହ ସମୟ ବିତାଇବା ବହୁତ ବଡ଼ ଭୁଲ ଥିଲା।

ସମ୍ବନ୍ଧିତ ଖବର