ଜାହାଙ୍ଗୀରପୁରୀ ହିଂସାରେ ଗୃହ ମନ୍ତ୍ରାଳୟର ବଡ଼ କାର୍ଯ୍ୟାନୁଷ୍ଠାନ, ୫ ଅଭିଯୁକ୍ତଙ୍କ ଉପରେ ଲାଗିଲା ଏନଏସଏ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହିଂସା ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କ ଉପରେ ଗୃହ ମନ୍ତ୍ରାଳୟ ଏନଏସଏ ଲାଗୁ କରିଛି। ଏବେ ଏନଏସଏ ଅଧୀନରେ ଏହି ୫ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗୋଟିଏ ପଟେ ଗୃହ ମନ୍ତ୍ରାଳୟ ସମଗ୍ର ଘଟଣା ସହ ଜଡ଼ିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଅନ୍ୟପଟେ ସିସିଟିଭି ଫୁଟେଜ ଆଧାରରେ ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ଲାଗିଛି। ମଙ୍ଗଳବାର ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ ହିଂସା ଅଭିଯୋଗରେ ଗୁଲାମ ରସୁଲ ଓରଫ ଗୁଲିଙ୍କୁ ଗିରଫ କରିଛି। ଗୁଲାମ ରସୁଲ  ସୋନୁ ଶେଖଙ୍କୁ ଆକ୍ରମଣ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା।

କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ବିଷୟରେ ଗତକାଲି ପଚାରିବୁଝିବା ସହ ଯିଏ ଏଭଳି ହିଂସା ସୃଷ୍ଟି କରିଛି, ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କର ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ତେବେ ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଆୟୋଜିତ ଶୋଭାଯାତ୍ରା ବେଳେ ସେଠାରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଉଭୟ ସମ୍ପ୍ରଦାୟରୁ ୨୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଏବଂ ୫ଟି ଖଣ୍ଡା ଜବତ କରାଯାଇଛି। ଏହାଛଡ଼ା, ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯାଇଛି। ତେବେ ହିଂସା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁଥିବା ବେଳେ ପୁଲିସର ଅନୁମତି ବିନା ଶୋଭାଯାତ୍ରା କରିଥିବାରୁ ବଜରଙ୍ଗ ଦଳ ଓ ଭିଏଚପି ବିରୋଧରେ ଏତଲା ମଧ୍ୟ ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର