ନିର୍ବାଚନ ପୂର୍ବରୁ ପୁଣି ଆୟକର ଚଢ଼ଉ

ଏଥର କମଳନାଥଙ୍କ ସହଯୋଗୀ, ୫୦ଟି ସ୍ଥାନରେ ଚଢ଼ଉ, ୯ କୋଟି ଜବତ, ନିରପେକ୍ଷ ହୁଅ: ନିର୍ବାଚନ କମିସନ

ଭୋପାଳ : ନିର୍ବାଚନ ପୂର୍ବରୁ ପୁଣି ଆୟକର ବିଭାଗ ପକ୍ଷରୁ ଚଢ଼ଉ। ଏଥର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସହ ସଂପୃକ୍ତ ଅଧିକାରୀ ଏବଂ ସଂପର୍କୀୟଙ୍କ ଘରେ। ୫୦ଟି ସ୍ଥାନରେ ଆୟକର ବିଭାଗ ଚଢ଼ଉ କରିଛି। ଏହିସବୁ ସ୍ଥାନରେ କମଲନାଥଙ୍କ ଓଏସ୍‌ଡି ପ୍ରବୀଣ କକ୍କଡ, ପୂର୍ବ ପରାମର୍ଶଦାତା ଆର୍‌କେ ମିଗଲାନି ଏବଂ ଭଣଜା ରାତୁଲ ପୁରୀଙ୍କ ବାସଭବନ, ଅଫିସ ଓ ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି। ଗତ ରାତି ୨ଟା ୩୦ରୁ ଆରମ୍ଭ ହୋଇଥିବା ଚଢ଼ଉ ଆଜି ମଧ୍ୟ ଜାରି ରହିଛି ଏବଂ ପ୍ରାୟ ୯ କୋଟି ଟଙ୍କା ନଗଦ ଜବତ ହୋଇଥିବା ଜଣାପଡ଼ିଛି। ୩ଟି ରାଜ୍ୟର ୫୦ଟି ସ୍ଥାନରେ ଚାଲିଥିବା ଚଢ଼ଉରେ ୩୦୦ ଅଧିକାରୀ ନିୟୋଜିତ ହୋଇଛନ୍ତି।

କମଳନାଥଙ୍କ ଓଏସ୍‌ଡି ପ୍ରବୀଣ କକ୍କଡଙ୍କ ବିଜୟନଗର ସ୍ଥିତ ଘରେ ରାତି ୩ଟାରେ ଚଢ଼ଉ ଆରମ୍ଭ ହୋଇଥିଲା। କକ୍କର ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରି ରଖିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । କକ୍କରଙ୍କ ଇନ୍ଦୋର ସ୍ଥିତ ୪ଟି ସ୍ଥାନ ଏବଂ ଭୋପାଳର ଗୋଟିଏ ସ୍ଥାନରେ ଚଢ଼ଉ ଜାରି ରହିଛି। ପୂର୍ବ ଓଏସ୍‌ଡି ଆର୍‌କେ ମିଗ୍‌ଲାନିଙ୍କ ଦିଲ୍ଲୀ ସ୍ଥିତ ଘର ଓ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢ଼ଉ ଜାରି ରହିଛି । କମଳାନାଥଙ୍କ ଭଣଜା ରାତୁଲ ପୁରୀ, ଅମିରା ଗ୍ରୁପ୍‌ ଏବଂ ମୋଜେର୍‌ ବେୟର ଉପରେ ମଧ୍ୟ ଚଢ଼ଉ ହୋଇଛି।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ କର୍ଣ୍ଣାଟକରେ ଶାସକ କଂଗ୍ରେସ ଓ ଜେଡିଏସ୍ ନେତାଙ୍କ ଘ‌େର ମଧ୍ୟ ଆୟକର ଚଢ଼ଉ ହୋଇଥିଲା। ଏହାର ପ୍ରତିବାଦ କରିଥିଲେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ। ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁରେ ମଧ୍ୟ ଚଢ଼ଉ ହୋଇଥିଲା। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ଡିଏମକେ ନେତା ଷ୍ଟାଲିନ ଏତାଦୃଶ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଧାରଣା ଦେଇଥିଲେ। ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଆତଙ୍କିତ କରିବା ଲାଗି ମୋଦୀ ସରକାର ଆୟକର ବିଭାଗର ଦୁରୁପଯୋଗ କରୁଛି।

ଇତିମଧ୍ୟରେ ନିର୍ବାଚନ କମିସନ ଆଜି ରାତିରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଏଭଳି ପ୍ରକ୍ରିୟାରେ ଯଥା ସମ୍ଭବ ନିରପେକ୍ଷ ରହିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ରାଜସ୍ବ ସଚିବଙ୍କୁ ଚିଠି ଲେଖି କୁହାଯାଇଛି ଯେ ଆୟକର ଓ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ନିରପେକ୍ଷ ରହିବାକୁ ପରାମର୍ଶ ଦିଆଯାଉ। ଏବେ ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ଆଚରଣ ବିଧି ଲାଗୁଥିବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ବିଷୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବାକୁ କମିସନ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର