“ଏଥିରେ ତମର କ୍ଷତି, ଆମର ନୁହେଁ” କଶ୍ମୀର ଜି-୨୦ ବୈଠକରେ ଯୋଗ ଦେଇନଥିବାରୁ ଚୀନକୁ କହିଲା ଭାରତ

ଶ୍ରୀନଗର: ଶ୍ରୀନଗରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ର ଅନୁପସ୍ଥିତି କୌଣସି ଫରକ ପକାଇବ ନାହିଁ ଏବଂ ଏହା ଭାରତର ନୁହେଁ ବରଂ ସେମାନଙ୍କର କ୍ଷତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ।

ତୃତୀୟ ଜି-୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ଜି-୨୦ ଦେଶର ପ୍ରତିନିଧିମାନେ ସୋମବାର ଶ୍ରୀନଗରରେ ପହଞ୍ଚିଛନ୍ତି । ବୈଠକ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିତେନ୍ଦ୍ର ସିଂ କହିଛନ୍ତି, ଚୀନ୍ ବୈଠକରେ ଯୋଗ ନଦେବା, ବୈଠକ ଉପରେ କିଛି ଫରକ ପକାଉନାହିଁ। ସମ୍ମିଳନୀରେ ଅନୁପସ୍ଥିତି ଚୀନର କ୍ଷତି, ଭାରତର କ୍ଷତି ନୁହେଁ । ପୂର୍ବ ଲଦାଖ ସୀମାରେ ଲାଗି ରହିଥିବା ବିବାଦ ସହ ଚୀନର ଅନୁପସ୍ଥିତି ଜଡ଼ିତ କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହାର ତଦନ୍ତ କରିବ ।

କାଶ୍ମୀରକୁ ନେଇ ପାକିସ୍ତାନର ଦୁସ୍ପ୍ରଚାର ସମ୍ପର୍କରେ ପଚରାଯିବାରୁ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାଧାରଣ ଜନତା ଆଗକୁ ବଢ଼ିଛନ୍ତି। ଯଦି ଆପଣ ଶ୍ରୀନଗରର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ କଥା ହୁଅନ୍ତି, ତେବେ ସେ ଖୋଲାଖୋଲି କଥା ହୁଅନ୍ତି ନାହିଁ… କିନ୍ତୁ ଲୋକଙ୍କ ମନରୁ ଭୟ ଦୂରେଇଯାଉଛି ।

ସୂଚନାଯୋଗ୍ୟ ଯେ ଶ୍ରୀନଗରରେ ଅନୁଷ୍ଠିତ ଜି-୨୦ ବୈଠକରେ ଚୀନ ଓ ସାଉଦି ଆରବ ଯୋଗ ଦେଇନାହାନ୍ତି । କିନ୍ତୁ ଅନ୍ୟ ୧୭ଟି ଦେଶର ପ୍ରତିନିଧିମାନେ ଯୋଗ ଦେଇଛନ୍ତି ।

 

ସମ୍ବନ୍ଧିତ ଖବର