ଇନ୍ଧନ ସରିଯିବାରୁ ଭାରତ ପଠାଇଥିବା ‘ମଙ୍ଗଳଯାନ’ର ଅଭିଯାନ ଶେଷ: ରିପୋର୍ଟ

ବେଙ୍ଗାଲୁରୁ: ଇନ୍ଧନ ଓ ବ୍ୟାଟେରି ଶେଷ ହୋଇଯାଇଥିବାରୁ ଭାରତର ମଙ୍ଗଳଯାନର (ମାର୍ସ ଅର୍ବିଟର୍‌) କାର୍ଯ୍ୟକାଳ ଶେଷ ହୋଇଯାଇଛି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ମାର୍ସ ଅର୍ବିଟର୍‌ ମିସନ୍‌’ ୨୦୧୩ ମସିହା ନଭେମ୍ବର ୫ ତାରିଖ ଦିନ ‘ପିଏସ୍‌ଏଲ୍‌ଭି-ସି୨୫’ରେ ଅନ୍ତରୀକ୍ଷକୁ ଛଡ଼ାଯାଇଥିଲା। ପ୍ରଥମ ଉଦ୍ୟମରେ ଛଡ଼ାଯାଇଥିବା ଏହି ମହାକାଶଯାନ ୨୦୧୪ ସେପ୍ଟେମ୍ବର ୨୪ ତାରିଖରେ ମଙ୍ଗଳ ଗ୍ରହର କକ୍ଷପଥରେ ସଫଳତାର ସହିତ ସ୍ଥାପନ କରାଯାଇଥିଲା।

‘ଇସ୍ରୋ’ର ବିଶେଷସୂତ୍ରରୁ ଉଦ୍ଧାର କରି ‘ପିଟିଆଇ’ ରିପୋର୍ଟ କରିଛି, ଏବେ ସେଥିରେ ଆଉ ଇନ୍ଧନ ନାହିଁ। ସାଟେଲାଇଟ୍‌ ବ୍ୟାଟେରି ମଧ୍ୟ ସରିଗଲାଣି। ଯାନ ସହ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଯାଇଛି।

କିନ୍ତୁ, ଏ ସଂକ୍ରାନ୍ତରେ ‘ଇସ୍ରୋ’ ଔପଚାରିକ ଭାବେ କୌଣସି ସୂଚନା ଦେଇନାହିଁ।

Image Courtesy of NDTV

‘ଇସ୍ରୋ’ର ଅଧିକାରୀମାନେ କହିଛନ୍ତି, ୬ ମାସ ପାଇଁ କାର୍ଯ୍ୟ କରିବାକୁ ଧାର୍ଯ୍ୟ କରାଯାଇଥିବା ଏହି ଅର୍ବିଟର୍‌ ପ୍ରାୟ ୮ ବର୍ଷ ଧରି କାମ କଲାଣି। ‘ମଙ୍ଗଳଯାନ’ ତା’ର କର୍ତ୍ତବ୍ୟ ସମ୍ପାଦନ କରିବା ସହିତ ଉଲ୍ଲେଖନୀୟ ବୈଜ୍ଞାନିକ ଫଳାଫଳ ଦେଇଛି। ଏହା ପରୀକ୍ଷାମୂଳକ ଭାବେ ଉତ୍‌କ୍ଷେପଣ କରାଯାଇଥିଲା। ଏଥିରେ ସମୁଦାୟ ୧୫ କିଲୋ ଓଜନର ୫ଟି ‘ସାଇଣ୍ଟିଫିକ୍‌ ପ୍ଲେଲୋଡ୍‌’ ଯାଇଥିଲା। ସେଗୁଡ଼ିକ ‘ସର୍ଫେସ୍‌ ଜିଓଲୋଜି’, ‘ମୋର୍ଫୋଲୋଜି’, ‘ଆଟ୍‌ମୋସ୍ଫିୟରିକ୍‌ ପ୍ରୋସେସ୍‌’, ସର୍ଫେସ୍‌ ଟେମ୍ପେରେଚର୍‌’ ଏବଂ ‘ଆ‌ଟ୍‌ମୋସ୍ଫିୟରିକ୍‌ ଏସ୍‌କେପ୍‌ ପ୍ରୋସେସ୍‌’ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲେ।

ଉକ୍ତ ‘ପ୍ଲେଲୋଡ୍‌’ ବା ଉପକରଣଗୁଡ଼ିକ ହେଉଛି, ‘ମାର୍ସ କଲର୍‌ କ୍ୟାମେରା’, ‘ଥର୍ମାଲ୍‌ ଇନ୍ଫ୍ରାରେଡ୍‌ ଇମେଜିଙ୍ଗ୍ ସ୍ପେକ୍‌ଟ୍ରୋମିଟର୍’, ‘ମିଥେନ୍‌ ସେନ୍‌ସର୍‌ ଫର୍‌ ମାର୍ସ’, ‘ମାର୍ସ ଏକ୍ସଫୋରିକ୍‌ ନ୍ୟୁଟ୍ରାଲ୍‌ କମ୍ପୋଜିସନ୍‌ ଆନାଲାଇଜର୍‌’ ଏବଂ ‘ଲିମାନ୍‌ ଆଲ୍‌ଫା ଫଟୋମିଟର୍‌’।

ଏହି , ‘ମାର୍ସ କଲର୍‌ କ୍ୟାମେରା’ ୧୦୦୦ରୁ ଅଧିକ ଫଟୋ ଉତ୍ତୋଳନ କରିଛି ଓ ସେଗୁଡ଼ିକ ‘ମାର୍ସ ଆଟ୍‌ଲାସ୍‌’ରେ ପ୍ରକାଶ କରାଯାଇଛି। ଏହାପରେ ମଙ୍ଗଳ ଗ୍ରହକୁ ଆଉ ଗୋଟାଏ ମଙ୍ଗଳଯାନ ପଠାଇବାର ଯୋଜନା ଚାଲିଥିଲେ ବି ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇନାହିଁ।

ସମ୍ବନ୍ଧିତ ଖବର