ହାଇଦ୍ରାବାଦ: ଜିଇଏସ୍‌ରେ ଯୋଗ ଦେବାକୁ ସମ୍ମିଳନୀ ସ୍ଥଳରେ ପହଞ୍ଚିଲେ ଇଭାଙ୍କା

ହାଇଦ୍ରାବାଦ: ଭାରତରେ ପ୍ରଥମ ଥର ଲାଗି ଆୟୋଜିତ ହେଉଥିବା ଦକ୍ଷିଣ ଏସିଆ ବିଶ୍ୱ ଉଦ୍ୟୋଗ ସମ୍ମିଳନୀ (ଜିଇଏସ୍‌)ରେ ଯୋଗ ଦେବାପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତନୟା ଇଭାଙ୍କା ଆସି ସମ୍ମିଳନୀସ୍ଥଳରେ ପହଞ୍ଚି ଯାଇଛନ୍ତି। ସେଠାରେ ଭାରତ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଆଉ କିଛି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ପହଞ୍ଚି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ।

ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆମେରିକା ଏବଂ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜିଇଏସ୍‌ର ଏହି ଅଷ୍ଟମ ସଂସ୍କରଣକୁ ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୧୨୭ଟି ଦେଶରୁ ୧୨୦୦ ଉଦ୍ୟୋଗୀ, ନିବେଶକ ଏବଂ ସହଯୋଗୀମାନେ ଯୋଗଦେଉଥିବା ବେଳେ ଆମେରିକାକୁ ପ୍ରତିନିଧିତ୍ୱ କରୁଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌।

ଚଳିତ ଥରର ବିଷୟବସ୍ତୁ ରହିଛି- ‘ପ୍ରଥମେ ମହିଳା, ସମସ୍ତଙ୍କ ସମୃଦ୍ଧି’ ଏବଂ ପ୍ରଥମ ଥର ଲାଗି ଏଥିରେ ସର୍ବାଧିକ ୫୨.୨ ପ୍ରତିଶତ ମହିଳା ଅଂଶଗ୍ରହଣ କରୁଛନ୍ତି। ଏପରିକି ଆଫଗାନିସ୍ତାନ, ସାଉଦି ଆରବ ଏବଂ ଇସ୍ରାଏଲ ସମେତ ୧୦ରୁ ଅଧିକ ମୁସ୍‌ଲିମ୍‌ ରାଷ୍ଟ୍ରର କେବଳ ମହିଳା ଉଦ୍ୟୋଗୀମାନେ ଯୋଗଦେଇ ବିଭିନ୍ନ ଅଧିବେଶନ ଏବଂ କର୍ମଶାଳାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀ ଉଦ୍‌ଘାଟନ କରି ପ୍ରଥମେ ଅଭିଭାଷଣ ରଖିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ଇଭାଙ୍କା ଟ୍ରମ୍ପ୍‌ ଉଦବୋଧନ ଦେବେ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ର୍ନିମଳା ସୀତାରମଣ ମଧ୍ୟ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଇଭାଙ୍କାଙ୍କ ପାଇଁ ହାଇଦ୍ରାବାଦରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଇଭାଙ୍କାଙ୍କ ପାଇଁ ୧୦ ହଜାର ନିରାପତ୍ତା ଯବାନଙ୍କୁ ମୁତୟନ କରାଯାଇଛି। ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ଇଭାଙ୍କାର ଏହା ହେବ ପ୍ରଥମ ବଡ଼ ଧରଣର ବିଦେଶ ଗସ୍ତ। ଟ୍ରମ୍ପଙ୍କ ବଡ଼ ଝିଅ ୩୬ ବର୍ଷୀୟା ଇଭାନା ହେଉଛନ୍ତି ହ୍ଵାଇଟ୍‌ ହାଉସର ଅନ୍ୟତମ ଉପଦେଷ୍ଟା।

ସମ୍ବନ୍ଧିତ ଖବର