ହାଫିଜ୍‌କୁ ସ୍ଥାନାନ୍ତର ପାଇଁ କହିଥିଲେ ଜିନପିଙ୍ଗ୍‌

ଚୀନ୍‌ର ଖଣ୍ଡନ

ବେଜିଂ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଏବଂ ଜମାତ୍‌ ଉଦ୍‌ ଦାଓ୍ଵା ମୁଖ୍ୟ ହାଫିଜ ସୟିଦକୁ ସୁରକ୍ଷିତ ଭାବେ ପାକିସ୍ତାନରୁ ଅନ୍ୟତ୍ର ପଠାଇବାକୁ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଚାହୁଥିଲେ। ଏ ସଂକ୍ରାନ୍ତ ରିପୋର୍ଟ ପାକ୍‌ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଲୋଡ଼ନ ସୃଷ୍ଟି କରିଛି । ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ହାଫିଜ୍‌୍‌କୁ ପାକିସ୍ତାନରୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି। ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ଏ ବାବଦରେ ବିସ୍ତତ ରିପୋର୍ଟ ପ୍ରକାଶ ପାଇବା ପରେ ଚୀନ୍‌ ଏହାକୁ ଖଣ୍ଡନ କରି ଏହା ଭିତ୍ତିହୀନ ବୋଲି କହିଛି। ହାଫିଜ୍‌କୁ ନେଇ ଅନ୍ତର୍ଜାତୀୟ ଚାପ ବଢ଼ୁଥିବାରୁ ଏଥିରୁ ବର୍ତ୍ତିବାକୁ ହାଫିଜ୍‌କୁ ପାକିସ୍ତାନରୁ ପଶ୍ଚିମ ଏସିଆ ଦେଶକୁ ପଠାଇବା ନେଇ ଉପାୟ ଖୋଜିବା ନିମନ୍ତେ ଜିନପିଙ୍ଗ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ସୁତ୍ରରୁ ଏହି ଖବର ପ୍ରଘଟ ହୋଇଛି। ଚୀନ୍‌ରେ ଗତମାସରେ ଜିନ୍‌ପିଙ୍ଗ୍‌ ଏବଂ ପାକ୍‌ ପ୍ରଧାନମନ୍ତ୍ରୀ ସାହିଦ ଖକ୍କନ ଅବ୍ଦାସୀଙ୍କ ମଧ୍ୟରେ ହୋଇଥିବା ୩୫ ମିନିଟ୍‌ର ସାକ୍ଷାତ ଆଲୋଚନା ସମୟରେ ଜିନପିଙ୍ଗ୍‌ ପାଖାପାଖି ୧୦ ମିନିଟ୍‌ ପର୍ଯ୍ୟନ୍ତ ହାଫିଜ୍‌ ସମ୍ପର୍କରେ ଆଲୋଚନା କରିଥିଲେ ବୋଲି ଉକ୍ତ ରିପୋର୍ଟରୁ ଜଣାଯାଇଛି। ହାଫିଜ୍‌ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ଥିଲା ଯେଉଁଥିରେ ୧୬୬ ଲୋକଙ୍କ ଜୀବନହାନି ହୋଇଥିଲା। ୨୦୧୨ ମସିହାଠାରୁ ଆମେରିକା ହାଫିଜ୍‌କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର