ଜେଏନ୍‌ୟୁ ହିଂସା ନେଇ ଫଟୋ ଜାରି କଲା ଦିଲ୍ଲୀ ପୁଲିସ : ଐଶୀଙ୍କ ସମେତ ୯ ସନ୍ଦିଗ୍ଧ

ସମସ୍ତେ ଜେଏନ୍‌ୟୁ ଛାତ୍ର, ଭାଇରାଲ ଭିଡିଓ ସହାୟକ ହେଲା

ନୂଆଦିଲ୍ଲୀ: ଗତ ୫ ତାରିଖରେ ଘଟିଥିବା ଜେଏନ୍‌ୟୁ (ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ) ହିଂସା ଘଟଣାରେ ଆଜି ଦିଲ୍ଲୀ ପୁଲିସ ୯ ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି। ମାମଲାର ଯାଞ୍ଚ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)ର ମୁଖ୍ୟ ଡିସିପି ଜୟ ତିର୍କୀ କହିଛନ୍ତି ଯେ ମୁଖା ପିନ୍ଧି ହିଂସାରେ ସାମିଲ ହୋଇଥିବା ୯ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷ ମଧ୍ୟ ସାମିଲ ଥିବା ସ୍ପଷ୍ଟ ହୋଇଛି। ଚିହ୍ନଟ ହୋଇଥିବା ୯ ଜଣଙ୍କ ମଧ୍ୟରୁ ୭ ଜଣ ବାମପନ୍ଥୀ ଛାତ୍ର ଗୋଷ୍ଠୀର ଥିବାବେଳେ ୨ ଜଣ ଏବିଭିପିର ବୋଲି ପୁଲିସ ସୂଚନା ଦେଇଛି।

ଚିହ୍ନଟ ହୋଇଥିବା ଛାତ୍ରମାନେ ହେଲେ ଚୁନ୍‌ଚୁନ୍‌ କୁମାର, ପଙ୍କଜ ମିଶ୍ର, ଐଶୀ ଘୋଷ, ଭାସ୍କର ବିଜୟ, ସୁ‌ଚେତା ତାଲୁକଦାର, ପ୍ରିୟ ରଂଜନ, ‌ଦୋଲନ ସାୱନ୍ତ, ଯୋଗେନ୍ଦ୍ର ଭରଦ୍ବାଜ ଏବଂ ବିକାଶ ପଟେଲ। ଡିସିପି ଜୟ ତିର୍କୀ କହିଛନ୍ତି, ଅଧିକାଂଶ ଛାତ୍ର ୱିଣ୍ଟର ସେମିଷ୍ଟର ପାଇଁ ଜାନୁଆରି ୧ରୁ ୫ ମଧ୍ୟରେ ଅନ୍‌ଲାଇନ୍‌ ପଂକୀରକରଣ କରିବାପାଇଁ ଚାହୁଥିଲେ, କିନ୍ତୁ ବାମପନ୍ଥୀ ଛାତ୍ର ସଂଗଠନ ଏହା କରିବାକୁ ଦେଇନଥିଲେ। ବାମ ଛାତ୍ର ଗୋଷ୍ଠୀର ସଦସ୍ୟମାନେ ଜେଏନ୍‌ୟୁର ସର୍ଭର୍‌ ରୁମ୍‌ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଅନଲାଇନ୍‌ ରେଜିଷ୍ଟ୍ରେସନ୍‌ ବନ୍ଦ ପାଇଁ ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା ବୋଲି ପୁଲିସ କହିଛି। ୫ ତାରିଖ ହିଂସା ମାମଲାରେ ଏବେ ସୁଦ୍ଧା ଯେଉଁ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି, ସେମାନେ ସମସ୍ତେ ଛାତ୍ର ଥିବାରୁ ଏହି ମାମଲାରେ ଆଗକୁ ସବୁ ରହସ୍ୟ ପର୍ଯ୍ୟାୟକ୍ରମେ ଉନ୍ମୋଚିତ ହେବ ବୋଲି ପୁଲିସ କହିଛି।

ଦିଲ୍ଲୀ ପୁଲିସ କହିଛି ଯେ ସର୍ଭର ରୁମ୍‌ ଭାଙ୍ଗିବା ପଛରେ ୪ଟି ବାମପନ୍ଥୀ ଛାତ୍ର ସଂଗଠନର ହାତ ରହିଛି । ସେମାନେ ସର୍ଭର ରୁମ୍‌ରୁ କର୍ମଚାରୀଙ୍କୁ ବଳପୂର୍ବକ ବାହାର କରି ସେଠାରେ ଭଙ୍ଗାରୁଜା କରିଥିବା ପ୍ରମାଣ ମିଳିଛି। ହଷ୍ଟେଲ୍‌ରେ ମୁଖାପିନ୍ଧି ନିର୍ଦ୍ଦିଷ୍ଟ ଛାତ୍ରଙ୍କୁ ଟାର୍ଗେଟ୍‌ କରି ଯେଉଁ ଆକ୍ରମଣ ହୋଇଥିଲା ସେଥିରେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷ ମଧ୍ୟ ଥିଲେ। ଗଣ୍ଡଗୋଳ ସମୟରେ କିଛି ଛାତ୍ରଙ୍କ ଦ୍ବାରା ମୋବାଇଲ୍‌ରେ ହୋଇଥିବା ରେକର୍ଡିଂ ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା। ଏ ବାବଦ ଭିଡିଓ ଏବଂ ଫଟୋ ଆଧାରରେ ପୁଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିବା କହିଛି। ଅନ୍‌ଲାଇନ ରେଜିଷ୍ଟ୍ରେସନ କରିବାକୁ ଚାହୁଥିବା ଛାତ୍ରମାନଙ୍କୁ ବାମପନ୍ଥୀ ଛାତ୍ର ସଂଗଠନର ସଦସ୍ୟମାନେ ଧମକ ଚମକ ଦେବା ସହ ଆକ୍ରମଣ କରିଥିଲେ ବୋଲି ପୁଲିସ କହିଛି। ସମସ୍ତ ଆକ୍ରମଣକାରୀ କ୍ୟାମ୍ପ୍‌ସ ସହିତ ଭଲ ଭାବେ ପରିଚିତ ଥିଲେ ଏବଂ ଏ ପର୍ଯ୍ୟନ୍ତ ବାହାରୁ କେହି ସାମିଲ ଥିବା ପ୍ରମାଣ ମିଳିନାହିଁ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ ଏହି ମାମଲାରେ ସଂଗ୍ରହ ହୋଇଥିବା ସମସ୍ତ ପ୍ରମାଣ ସୁରକ୍ଷିତ ରଖିବାକୁ ଜେଏନ୍‌ୟୁର ୩ ଜଣ ଫ୍ରଫେସର ଆଜି ଦିଲ୍ଲୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି।

ପୁଲିସ ପକ୍ଷପାତ କରୁଛି, ମୋ ପାଖରେ ବି ପ୍ରମାଣ ଅଛି: ଐଶୀ ଘୋଷ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷଙ୍କୁ ଜେଏନ୍‌ୟୁ ହିଂସା ଘଟଣାରେ ସନ୍ଦିଗ୍ଧ ଘୋଷଣା କରିବାପରେ ଐଶୀ ଏନେଇ ଜବାବ ରଖିଛନ୍ତି। ଐଶୀ କହିଛନ୍ତି, ଦିଲ୍ଲୀ ପୁଲିସ ପକ୍ଷପାତ କରୁଛି। ହିଂସା‌ ସମୟରେ ସେ କୌଣସି ଆକ୍ରମଣରେ ସାମିଲ ନଥିଲେ ବରଂ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏହାର ପ୍ରମାଣ ମଧ୍ୟ ତାଙ୍କ ନିକଟରେ ଅଛି । ଐଶୀ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆଇନ ଉପରେ ତାଙ୍କର ଦୃଢ଼ ବିଶ୍ବାସ ଅଛି ଏବଂ ଉକ୍ତ ଘଟଣାରେ ନିରପେକ୍ଷ ତଦନ୍ତ ହେବ ବୋଲି ତାଙ୍କର ବିଶ୍ବାସ ରହିଛି। ଐଶୀ କହିଛନ୍ତି ତାଙ୍କ ନିକଟରେ ମଧ୍ୟ କିଛି ପ୍ରମାଣ ଅଛି। ଦିଲ୍ଲୀ ପୁଲିସ ତାଙ୍କ ଅଭିଯୋଗ ଆଧାରରେ ଏଯାବତ୍‌ ଏଫ୍‌ଆଇଆର ରୁଜୁ କରିନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏବିଭିପି ପକ୍ଷରୁ କୁହାଯାଇଛି ଯେ ଐଶୀ ଏବଂ ତାଙ୍କର ସମର୍ଥକଙ୍କ ଦ୍ବାରା ଯୋଜନାବଦ୍ଧ ଆକ୍ରମଣ ହୋଇଥିଲା ଏବଂ ଏହାପରେ ଐଶୀ ‘ଭିକ୍ଟିମ୍‌ କାର୍ଡ’ ଖେଳିଥିଲେ।

ମିଥ୍ୟା ଓ ଷଡ଼ଯନ୍ତ୍ରରୁ ପରଦା ହଟିଛି: ବିଜେପି
ନୂଆଦିଲ୍ଲୀ: ଜେଏନ୍‌ୟୁ ହିଂସା ମାମଲାରେ ପୁଲିସ ଏ ପର୍ଯ୍ୟନ୍ତ ଯେଉଁ ତଥ୍ୟ ପ୍ରମାଣ ହାସଲ କରିଛି ସେଥିରେ ବାମପନ୍ଥୀ ଛାତ୍ର ସଂଗଠନର ଷଡ଼ଯନ୍ତ୍ର, ଆକ୍ରମଣ ଓ ମିଥ୍ୟା ପ୍ରଚାରରୁ ପରଦା ହଟିଯାଇଛି ବୋଲି ବିଜେପି କହିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ଯେ ୫ ଦିନ ଧରି ଜେଏନ୍‌ୟୁ ହିଂସାକୁ ନେଇ ଚାଲିଥିବା ମିଥ୍ୟା ପ୍ରଚାର ଉପରୁ ପରଦା ହଟିଛି ଏବଂ ଧୀରେ ଧୀରେ ସତ୍ୟ ସାମ୍ନାକୁ ଆସୁଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ଜେଏନ୍‌ୟୁରେ ବାମଦଳର ମୁଖା ଖୋଲି ଯାଇଛି ଏବଂ କେଉଁମାନେ ପ୍ରକୃତରେ ହିଂସା ଓ ଷଡ଼ଯନ୍ତ୍ର କରି ହଇଚଇ ସୃଷ୍ଟି କରିଛନ୍ତି ସେମାନଙ୍କୁ ଦେଶବାସୀ ଜାଣିପାରିଛନ୍ତି। ସେମାନେ ଅନ୍ୟକୁ ବଦନାମ କରିବାକୁ ପ୍ରୟାସ କରିଛନ୍ତି ଏବଂ ଜେଏନ୍‌ୟୁର ସମ୍ପତ୍ତି ନଷ୍ଟ କରିଛନ୍ତି ବୋଲି ସ୍ମୃତି କହିଛି।

ସମ୍ବନ୍ଧିତ ଖବର