ରାଜ୍ୟସଭାର ସଦସ୍ୟ ଥାଇ ଗୃହର ଅବମାନନା ମହଙ୍ଗା ପଡ଼ିଲା; ସ୍ୱାଧୀକାର ଭଙ୍ଗର ସମ୍ମୁଖୀନ ହେବେ ଜଷ୍ଟିସ ଗୋଗୋଇ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନ ରାଜ୍ୟସଭାର ସାଂସଦ ଥିବା ରଂଜନ ଗୋଗୋଇ ଏକ ଜାତୀୟସ୍ତରର ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ରାଜ୍ୟସଭାର ଅବମାନନା କରିବା ଘଟଣା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ରାଜ୍ୟସଭାର ଅବମାନନା କରିଥିବାରୁ ତାଙ୍କ ବିରୋଧରେ ସଂସଦରେ ସ୍ୱାଧୀକାର ଭଙ୍ଗ ଆଗତ କରାଯିବ ବୋଲି ଜାଣିବାକୁ ମିଳିଛି।

ନିକଟରେ ଜଷ୍ଟିସ୍‌ ଗୋଗୋଇ ତାଙ୍କ ସ୍ମୃତି ଗ୍ରନ୍ଥ ‘ବିଚାରପତିଙ୍କ ପାଇଁ ନ୍ୟାୟ’ର ଉନ୍ମୋଚନ ଅବସରରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ‘ମୋର ଯେତେବେଳେ ଇଚ୍ଛା ହୁଏ, ସେତେବେଳେ ମୁଁ ରାଜ୍ୟସଭାକୁ ଯାଏ! ବ୍ୟକ୍ତିଗତ ଭାବରେ ମୁଁ ସେଠାକୁ ଯିବାକୁ ଆରାମଦାୟକ ଅନୁଭବ କରେ ନାହିଁ। ସେଠାରେ ସାମାଜିକ ଦୂରତା ନିୟମ ଲାଗୁ କରାଯାଇଛି କିନ୍ତୁ ସେଗୁଡିକର ପାଳନ କରାଯାଉନାହିଁ। ବସିବା ବ୍ୟବସ୍ଥା ମୋତେ ବହୁତ ଆରାମଦାୟକ ମନେ ହୁଏ ନାହିଁ। ମୁଁ ରାଜ୍ୟସଭାକୁ ଯାଏ ଯେତେବେଳେ ମୁଁ ଅନୁଭବ କରେ, ଯେତେବେଳେ ମୁଁ ଭାବେ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି ଯାହା ଉପରେ ମୁଁ କହିବା ଉଚିତ ସେତେବେଳେ ମୁଁ ଯାଏ। ମୁଁ ଜଣେ ମନୋନୀତ ସଦସ୍ୟ, କୌଣସି ଦଳର ହ୍ଵିପ୍‌ ଦ୍ୱାରା ପରିଚାଳିତ ନୁହେଁ। ତେଣୁ, ଯେତେବେଳେ ଦଳର ସଦସ୍ୟମାନଙ୍କ ପାଇଁ ଘଣ୍ଟି ବାଜିଥାଏ, ଏହା ମୋତେ ବାନ୍ଧିରଖି ପାରି ନଥାଏ! ମୁଁ ମୋ ପସନ୍ଦରେ ସେଠାକୁ ଯାଇ ମୋ ପସନ୍ଦରେ ବାହାରକୁ ଆସେ… ମୁଁ ଘରର ଜଣେ ସ୍ୱାଧୀନ ସଦସ୍ୟ। ରାଜ୍ୟସଭାରେ ଅଛି କ’ଣ? ଯଦି ମୁଁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହୋଇଥାନ୍ତି ତେବେ ମୁଁ ଦରମା, ପାରିଶ୍ରମିକ ଦୃଷ୍ଟିରୁ ଅଧିକା ଓ ଭଲ ପାଉଥାନ୍ତି। ମୁଁ ରାଜ୍ୟସଭାରୁ ଏକ ପଇସା ନେଉନାହିଁ!’ ବୋଲି ଜଷ୍ଟିସ୍‌ ଗୋଗୋଇ ତାଙ୍କ ସାକ୍ଷାତକାରରେ କହିଥିଲେ।

ତେବେ, ଜଷ୍ଟିସ୍‌ ଗୋଗୋଇଙ୍କ ଏପ୍ରକାର ବିବୃତ୍ତି ରାଜ୍ୟସଭାର ଅବମାନନା କରୁଛି, ଗୃହର ସମ୍ମାନକୁ କ୍ଷୁଣ୍ଣ କରୁଛି ଏବଂ ସୁବିଧାର ଉଲ୍ଲଂଘନ ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ କରିବା ସହ ଏପ୍ରସଙ୍ଗରେ ତାଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛି।

ସମ୍ବନ୍ଧିତ ଖବର