ଲଗାଣ ବର୍ଷାରେ ପୁରୀ ଓ ଗଂଜାମ ଜିଲ୍ଲାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି: କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଜୱାଦ୍‌’ ଯୋଗୁଁ ଚଳିତ ମାସର ପ୍ରଥମ ସପ୍ତାହରେ ଲଗାଣ ବର୍ଷାରେ ପୁରୀ ଓ ଗଂଜାମ ଜିଲ୍ଲାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି ।  ଗ୍ରାଉଣ୍ଡ ଜିରୋରେ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ବୈଠକରେ କେନ୍ଦ୍ରୀୟ ଟିମ ସଦସ୍ୟ ପୂଜା ଜୈନ ଏହି ସୂଚନା ଦେଇଛନ୍ତି।  କେନ୍ଦ୍ରୀ ଟିମ୍‌ର ସଦସ୍ୟ ଶ୍ରୀମତୀ ଜୈନ କହିଛନ୍ତି, ଚାଷୀଙ୍କୁ ଉପଯୁକ୍ତ ସହାୟତା ମିଳିବା ପାଇଁ ରିଲିଫ କୋଡ଼ରେ ସଂଶୋଧନର ଆବଶ୍ୟକତା ରହିଛି । ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ । ରିଲିଫ କୋଡ଼ ସଂଶୋଧନ ପାଇଁ ବିଭିନ୍ନ ମନ୍ତ୍ରଣାଳୟର ସମ୍ପର୍କ ରହିଛି । ଏନେଇ କେନ୍ଦ୍ର କ୍ୟାବିନେଟ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।

ସୂଚନାଯୋଗ୍ୟ, ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଗତକାଲି ଠାରୁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ ୩ ଭାଗରେ ବିଭକ୍ତ ହୋଇ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କ୍ଷତି ହୋଇଥିବା ଅଂଚଳକୁ ଗସ୍ତ କରିଛନ୍ତି। କ୍ଷତି ଆକଳନ ପରେ ଆଜି ଲୋକସେବ ଭବନରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ରାଜ୍ୟ ସରକାରଙ୍କର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର