କଶ୍ମୀରରେ ସ୍କୁଲ୍‌ ଖୋଲିଲା, ପିଲା ଆସିଲେନି

୨୦୧୬ରେ ୨୭ ସ୍କୁଲ୍‌ରେ ନିଆଁ ଲଗାଇ ଦିଆଯାଇଥିଲା

ଶ୍ରୀନଗର : କଶ୍ମୀରରେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଛି। କଟକଣା କୋହଳ ହୋଇଥିବା ଜମ୍ମୁ କଶ୍ମୀରର ସମସ୍ତ ଅଂଚଳରେ ଆଜିଠାରୁ ହାଇସ୍କୁଲଗୁଡ଼ିକ ପୁଣି ଖୋଲିଛି। ତେବେ ଦିନରେ କଟକଣା ସଂପୂର୍ଣ୍ଣ କୋହଳ କରାଯିବା ସତ୍ତ୍ବେ ବି ପିଲାମାନେ ସ୍କୁଲ୍‌ ଯାଉନାହାନ୍ତି। ଅଧିକାଂଶ ସ୍କୁଲ୍‌ ବିଶେଷ କରି ଘରୋଇ ବିଦ୍ୟାଳୟଗୁଡ଼ିକରେ ତାଲା ପଡ଼ିଛି। । ଭୟରେ ଅଭିଭାବକମାନେ ପିଲାଙ୍କୁ ସ୍କୁଲ୍‌ ପଠାଉନାହାନ୍ତି। ଗତ ୨୦ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ କଟକଣା ‌ହଟିବା ପରେ କେତେକ ସ୍କୁଲ୍‌ ଖୋଲାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ସ୍ଥିତି ବିଗିଡ଼ିବାରୁ ସ୍କୁଲଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଏବେ ପରିସ୍ଥିତିରେ ସୁଧାର ଆସିବା ପରେ ଆଜି କଶ୍ମୀର ଉପତ୍ୟକାରେ ପୁଣି ସ୍କୁଲ ଖୋଲିଛି। ଉଭୟ ଘରୋଇ ଓ ସରକାରୀ ସ୍କୁଲରେ ଶିକ୍ଷକମାନେ ଯଥାରୀତି ଉପସ୍ଥିତ ଥିଲେ ମଧ୍ୟ ଜଣେ ବି ଛାତ୍ରଛାତ୍ରୀ ସ୍କୁଲ ଯାଇନାହାନ୍ତି।

ଆଜି ପ୍ରାୟ ୨ ଶହ ସ୍କୁଲ୍‌ରେ ଶିକ୍ଷକ ଥିଲେ ମଧ୍ୟ ପିଲା ସ୍କୁଲ୍‌ ଯାଇନଥିବାରୁ ଏ ଦିଗରେ ଶିକ୍ଷା ବିଭାଗ ଅଧିକାରୀମାନେ ରିପୋର୍ଟ ସଂଗ୍ରହ କରିଛନ୍ତି ଏବଂ ସୁରକ୍ଷା ସ୍ଥିତି ମଧ୍ୟ ସମୀକ୍ଷା କରାଯାଉଛି। ଅତୀତରେ କଶ୍ମୀରରେ ହିଂସା ସମୟରେ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀମାନେ ସ୍କୁଲ୍‌ଗୁଡ଼ିକୁ ଟାର୍ଗେଟ୍‌ କରିଥିବା ନଜର ରହିଛି। ହିଜ୍‌ବୁଲ କମାଣ୍ଡର ବୁରହାନ୍‌ ୱାନିର ଜୁଲାଇ ୮, ୨୦୧୬‌ରେ ନିପାତ ପରେ ପ୍ରାୟ ୨୭ଟି ସ୍କୁଲ୍‌ରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିମଧ୍ୟରୁ ଅଧିକାଂଶ ସ୍କୁଲ୍‌ଗୁଡ଼ିକ ସରକାରୀ ପରିଚାଳିତ ଥିଲା। ଆନ୍ଦୋଳନ ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ୧୯୬ କାର୍ଯ୍ୟ ଦିବସରୁ ମାତ୍ର ୮୦ ଦିନ ଖୋଲିଥିଲା। ନଭେମ୍ବର ୨୦୧୬ରେ ରାଜ୍ୟ ସରକାର ବିନା ପରୀକ୍ଷାରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ବିନା ପରୀକ୍ଷାରେ ପାସ୍‌ କରିବାପାଇଁ ନିଷ୍ପତ୍ତି ନେଇଥିଲେ। ଦଶମ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ମଧ୍ୟ କୋହଳ ନୀତି ଅବଲମ୍ବନ କରାଯାଇଥିଲା।

୯୦ ଦଶକରେ ମଧ୍ୟ ଆତଙ୍କବାଦ ଉଗ୍ର ରୂପ ନେଇଥିବା ବେଳେ ସ୍କୁଲ୍‌ଗୁଡ଼ିକୁ ଲଗାତାର ଟାର୍ଗେଟ୍‌ କରାଯାଉଥିଲା। ୧୯୯୦ରେ ସରକାରୀ କର୍ମଚାରୀଙ୍କ ଦ୍ବାରା ଲଗାତାର ୭୩ ଦିନ ଆନ୍ଦୋଳନ କରିବା ସମୟରେ ମଧ୍ୟ ସ୍କୁଲ୍‌ ବନ୍ଦ ରହିଥିଲା। ଆତଙ୍କାବଦୀ ଜାକିର ମୁସାକୁ ଏନ୍‌କାଉଣ୍ଟର ସମୟରେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ସେହିପରି ଏଲ୍‌ଓସିରେ ଭାରତ ପାକିସ୍ତାନ ମଧ୍ୟରେ ଗୁଳିବର୍ଷା ବୃଦ୍ଧି ପାଇଲେ ସ୍କୁଲ୍‌ଗୁଡ଼ିକରେ ବ୍ୟାପକ ସୁରକ୍ଷାକର୍ମୀ ମୁ୍ତୟନ ହୁଅନ୍ତି ଏବଂ ଅନେକ ସମୟରେ ସ୍କୁଲ୍‌ ବନ୍ଦ କରାଯାଏ।

ସମ୍ବନ୍ଧିତ ଖବର