ଜର୍ମାନୀଙ୍କୁ ଆଇନା ଦେଖାଇଲା ଭାରତ: ଦୂତାବାସକୁ ସମନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ଜର୍ମାନୀର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ବିବାଦୀୟ ମନ୍ତବ୍ୟ ନେଇ ଭାରତ ପକ୍ଷରୁ ଜର୍ମାନୀ ଆଇନା ଦେଖାଯାଇଛି। ଭାରତ କହିଛି ଜର୍ମାନୀର ମନ୍ତବ୍ୟ ଭାରତୀୟ ନ୍ୟାୟପ୍ରଣାଳୀରେ ହସ୍ତକ୍ଷେପ କରିବା ଭଳି। ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ। ଏପରି ମନ୍ତବ୍ୟ ଭାରତୀୟ ନ୍ୟାୟ ବ୍ୟବସ୍ଥାର ସ୍ବତନ୍ତ୍ରତାକୁ ପ୍ରଭାବିତ କରିବା ଭଳି।
କେଜ୍ରିୱାଲଙ୍କ ଗିରଫ ନେଇ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଆମେ ଆଶା କରୁଛୁ ଏହି ମାମଲାରେ ନ୍ୟାୟପାଳିକାର ସ୍ବତନ୍ତ୍ରତତା ଏବଂ ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରତି ଧ୍ୟାନ ରଖାଯିବ। ମାମଲାର ନିରପେକ୍ଷ ଶୁଣାଣି ହେବ ଏବଂ କେଜ୍ରିୱାଲଙ୍କୁ ନିଜର ପକ୍ଷ ରଖିବାର ସୁଯୋଗ ପ୍ରଦାନ କରାଯିବ। କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ନ୍ୟାୟ ପ୍ରଣାଳୀ ପାଇଁ ଅପରିହାର୍ଯ୍ୟ ବୋଲି ଜର୍ମାନୀ ବିଦେଶ ମନ୍ତ୍ରଣାଳୟ କହିଥିଲା।

ଜର୍ମାନୀ ବିଦେଶ ମନ୍ତ୍ରଣାଳୟର ଏଭଳି ମନ୍ତବ୍ୟ ନେଇ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଜର୍ମାନୀ ଦୂତାବାସକୁ ଶନିବାର ସମନ ଜାରି କରିଛି।

କେଜ୍ରିୱାଲଙ୍କ ଗିରଫ ଅନ୍ତର୍ଜାତୀୟ ଗଣମାଧ୍ୟମର ହେଡଲାଇନରେ ରହିଛି। ୱାଶିଂଟନ୍ ପୋଷ୍ଟ ଠାରୁ ବିବିସି ପର୍ଯ୍ୟନ୍ତ ସମସ୍ତେ ଏହି ମାମଲାକୁ କଭର୍ କରିଥିଲେ। ୱାଶିଂଟନ୍ ପୋଷ୍ଟ ଲେଖିଥିଲା ଯେ କେଜ୍ରିୱାଲଙ୍କ ଗିରଫ ହେଉଛି ନିକଟ ଅତୀତରେ କୌଣସି ବିରୋଧୀ ଦଳର ଦ୍ୱିତୀୟ ବୃହତ୍ତମ ଗିରଫ। ଏଥିରେ ହେମନ୍ତ ସୋରେନଙ୍କ ମାମଲା ମଧ୍ୟ ଉଲ୍ଲେଖ କରାଯାଇଥିଲା। ସିଏନ୍ଏନ୍ ଲେଖିଥିଲା କେଜ୍ରିୱାଲଙ୍କ ଗିରଫଦାରୀ ଯୋଗୁ ବିରୋଧୀ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବାକୁ ଆଶା ମଉଳି ଯାଉଛି।

ସମ୍ବନ୍ଧିତ ଖବର