ପୁଣି ବଢିଲା ପିଆଜ ରପ୍ତାନି କଟକଣା, ନିର୍ବାଚନରେ ଦରଦାମ ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଶନିବାର ପିଆଜ ରପ୍ତାନି ଉପରେ ଲାଗିରହିଥିବା କଟରଣାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢାଇ ଦେଇଛନ୍ତି । ପୂର୍ବରୁ ପିଆଜ ରପ୍ତାନି ଉପରେ ଲାଗିଥିବା କଟକଣାର ଶେଷ ତାରିଖ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା। ଏବେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇଛି।

କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ସହ ଯୋଡ଼ାଯାଉଛି। ସାଧାରଣ ନିର୍ବାଚନ ସମୟରେ ପିଆଜ ଦର ବଢ଼ିବ ବୋଲି କେନ୍ଦ୍ର ସରକାର ଚାହୁଁନାହାନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ କେତେକ ବିଦେଶୀ ବଜାରରେ ପିଆଜ ଦର ଆକାଶଛୁଆଁ ହୋଇପାରେ ।

ଭାରତ ହେଉଛି ପିଆଜର ସବୁଠାରୁ ବଡ଼ ରପ୍ତାନିକାରୀ ଦେଶ। ଦେଶରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୩ ଡିସେମ୍ବରରେ ଏହାର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ନିଷେଧାଦେଶ ଅବଧି ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା। ଏହି କଟକଣା ପରେ ଭାରତରେ ପିଆଜ ଦର ଅଧାରୁ ମଧ୍ୟ କମ୍ ହୋଇଯାଇଛି। ଏଥିସହିତ ଋତୁର ନୂଆ ଫସଲ ମଧ୍ୟ ବଜାରକୁ ଆସିବା ଆରମ୍ଭ ହୋଇଛି। ଏହାପରେ ପିଆଜ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ସରକାର ସେମାନଙ୍କୁ ଖୁସି ଖବର ଦେଇପାରିବେ ବୋଲି ବ୍ୟବସାୟୀମାନେ ଆଶା ରଖିଥିଲେ। ତେବେ ସରକାର ବିପରୀତ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଛନ୍ତି। ଶୁକ୍ରବାର ରାତିରେ କେନ୍ଦ୍ର ସରକାର ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ କଟକଣା ଜାରି ରହିବ ବୋଲି ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର