ଅମୃତସର ବିସ୍ଫୋରଣ: ଗ୍ରେନେଡ୍‌ ପାକିସ୍ତାନରେ ନିର୍ମିତ; ଜଣେ କେଏଲ୍‌ଏଫ୍‌ କର୍ମୀ ଗିରଫ

ଚଣ୍ଡିଗଡ଼: ଅମୃତସର ନିକଟ ନିରଙ୍କାରୀ ସତ୍‌ସଙ୍ଗ ଭବନରେ ହୋଇଥିବା ଗ୍ରେନେଡ୍‌ ଆକ୍ରମଣ କରିଥିବା ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଥିବା କଥା ବୁଧବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଘୋଷଣା କରିବା ସହ ଏହି ଆତଙ୍କବାଦ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ପାକିସ୍ତାନର ଆଇଏସ୍‌ଆଇ ବୋଲି କହିଛନ୍ତି।

ରବିବାର ଦିନ ହୋଇଥିବା ଏହି ଆକ୍ରମଣରେ ତିନି ଜଣ ବ୍ୟକ୍ତି ମରିବା ସହ ୧୫ ଜଣ ଆହତ ହୋଇଥିଲେ। ଏଥିପାଇଁ ଖଲିସ୍ତାନ ଲିବରେସନ୍‌ ଫୋର୍ସ (କେଏଲ୍‌ଏଫ୍‌) କର୍ମୀ ଅମୃତସର ନିକଟ ରାଜସାନ୍‌ସି ଅନ୍ତର୍ଗତ ଧରିଓ୍ଵାଲ୍‌ ଗାଁର ୨୬ ବର୍ଷିୟ ବିକ୍ରମଜିତ ସିଂହଙ୍କୁ ଗିରଫ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି: ପାକିସ୍ତାନର ଆଇଏସ୍‌ଆଇ ହେଉଛି ମାଷ୍ଟର୍‌ମାଇଣ୍ଡ୍‌ ଏବଂ ଅଭିଯୁକ୍ତମାନେ ହେଉଛନ୍ତି ସେମାନେ ନିୟୋଜିତ କରିଥିବା ଦଲାଲ୍‌। ଆକ୍ରମଣରେ ଦୁଇ ଜଣ ବ୍ୟକ୍ତି ସମ୍ପୃକ୍ତ ଏବଂ ଘଟନା ଘଟିବାର ୭୨ ଘଣ୍ଟା ମଧ୍ୟରେ ଜଣକୁ ଗିରଫ କରାଯାଇଛି। ଅନ୍ୟ ଜଣଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ। ସେ ଆହୁରି କହିଛନ୍ତି ପାକିସ୍ତାର କେଏଲ୍‌ଏଫ୍‌ ମୁଖ୍ୟ ହରମୀତ ସିଂହ ହାପି ଓରଫ୍‌ ପିଏଚ୍‌ଡି ହେଉଛି ଏହି ଆକ୍ରମଣର ଆୟୋଜକ।

ସେ କହିଛନ୍ତି: ପଞ୍ଜାବରେ ଶାନ୍ତି ନଷ୍ଟ କରିବାକୁ ପାକିସ୍ତାନ କେଏଲ୍‌ଏଫ୍‌ ଭଳି ଆତଙ୍କବାଦୀ ସଙ୍ଗଠନକୁ ବ୍ୟବହାର କରିବ। ବହୁ ଦିନ ହେଲାଣି ଆଇଏସ୍‌ଆଇ ଖୁବ୍‌ ସକ୍ରିୟ ରହିଛି। ଏ ବର୍ଷ ତୁଷାରପାତ ଯୋଗୁଁ କଶ୍ମୀରରେ ଘାଟି ସବୁ ବନ୍ଦ ରହିଥିବାରୁ ସେମାନେ ଦକ୍ଷିଣ ପଟକୁ ଚାଲି ଆସୁଛନ୍ତି।

ସମ୍ବନ୍ଧିତ ଖବର