ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ ଜାରି: ଆଇନଜୀବୀ ଶିବଶଙ୍କରଙ୍କ ନିଲମ୍ବନ ଉପରେ ରହିତାଦେଶ, ହାଇକୋର୍ଟ ବାର୍ ଆସୋସିଏସନ୍ ଓ ଓଡ଼ିଶା ବାର କାଉନ୍ସିଲ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜିରା ଲାଗି ସମନ
ଆଇନଜୀବୀ ଆନ୍ଦୋଳନ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮ରେ
ନୂଆଦିଲ୍ଲୀ: ଆଜି ଓଡ଼ିଶା ହାଇକୋର୍ଟରେ ଜାରି ଆଇଜୀବୀଙ୍କ ଆନ୍ଦୋଳନ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଛି। ଗତକାଲି ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ ପରେ ନିଆଯାଇଥିବା ପଦକ୍ଷେପକୁ ଶୀର୍ଷ ଅଦାଲତ ନାପସନ୍ଦ କରିବା ସହ ପୂର୍ବ ଆଭିମୁଖ୍ୟ ଜାରି ରଖିଛନ୍ତି। କୋର୍ଟଙ୍କୁ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ଗତକାଲି ବାର୍ ଆସୋସିଏସନ୍ ପକ୍ଷରୁ ଆଇନଜୀବୀ ଶିବ ଶଙ୍କର ମିଶ୍ରଙ୍କ ସଦସ୍ୟତା ଉପରେ ଜାରି ନିଲମ୍ବିତ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାରକୁ ମଧ୍ୟ ବାର ଆସୋସିଏସନ୍ ନିକଟରୁ ଅପସାରଣ କରିଛନ୍ତି ସୁପ୍ରିମକୋର୍ଟ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏସ.କେ.କୋଲ ଏବଂ ଜଷ୍ଟିସ୍ କେ.ଏମ୍ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦୋଳନ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ଏହି ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେ.କେ.ଭେନୁଗୋପାଲ ତାଙ୍କର ମତ ଉପସ୍ଥାପନ କରି ଆଇନଜୀବୀ ଆନ୍ଦୋଳନ ସମ୍ପର୍କରେ ଜାତୀୟ ଲ’ କମିସନ୍ଙ୍କର ଥିବା ଗାଇଡଲାଇନ୍ ଅନୁସାରେ ମାମଲାର ବିଚାର କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କର ପରାମର୍ଶ କ୍ରମେ ଖଣ୍ଡପୀଠ ନୋଟିସ ଜାରି କରି ଓଡ଼ିଶା ବାର କାଉନ୍ସିଲ ଓ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜିରା ଲାଗି ସମନ କରିଛନ୍ତି। ନଭେମ୍ବର ୮ ତାରିଖରେ ସେମାନେ ସୁପ୍ରିମକୋର୍ଟଙ୍କ ନିକଟରେ ଉପସ୍ଥିତ ହୋଇ ଆଇନଜୀବୀ ଆନ୍ଦୋଳନର କାରଣ ସମ୍ପର୍କରେ ଅବଗତ କରାଇବେ ଏବଂ କାହିଁକି ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା କରା ନ ଯିବ ତାହା ଦର୍ଶାଇବେ। ଏଥିସହ ନଭେମ୍ବର ୮ ତାରିଖ ଦିନ ଶୁଣାଣି ସମୟରେ କୋର୍ଟରେ ଉପସ୍ଥିତ ରହି ସହାୟତା କରିବା ଲାଗି ବାର କାଉନ୍ସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷଙ୍କୁ ମଧ୍ୟ ସମନ କରିଛନ୍ତି ସୁପ୍ରିମ କୋର୍ଟ।
ଏଥି ସହ ଖଣ୍ଡପୀଠ ୨୦୧୮-୧୯ ମଧ୍ୟରେ ଓଡ଼ିଶା ହାଇକୋର୍ଟ ଏବଂ ଅନ୍ୟ କୋର୍ଟଗୁଡ଼ିକରେ ଆଇନଜୀବୀ ଆନ୍ଦୋଳନ ଯୋଗୁଁ କେତେ ଦିନ ଧରି କାର୍ଯ୍ୟ ବ୍ୟାହତ ହୋଇଛି ତାର ବିବରଣୀ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ସୁପ୍ରିମକୋର୍ଟଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଜଣାଇ ଦିଆଯାଇଥିଲା କି, ସରକାର ହାଇକୋର୍ଟର ଓକିଲ ଓ ମୁଦଲାଙ୍କୁ ସୁରକ୍ଷା ଯୋଗାଇ ଦେବାର ସମସ୍ତ ବ୍ୟବସ୍ଥା କରିବାକୁ ସକ୍ଷମ। ଏହାପରେ କୋର୍ଟ ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧ-ସାମରିକ ବଳ ମୁତୟନ କରିବାର ଆବଶ୍ୟକତା ନାହିଁ ବୋଲି ମତ ଦେଇଥିଲେ।