ସଦାଚାର କମିଟିରେ ମୋର ବସ୍ତ୍ରହରଣ ହେଲା, ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଲେ ମହୁଆ

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆଜି ସଂଗୀନ ଅଭିଯୋଗ ଆଣିଛନ୍ତି | ତାଙ୍କୁ ନେଇ ବିବାଦ ଜାରି ରହିଥିବାବେଳେ ଏହି ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଅଭିଯୋଗ କରିଛନ୍ତି ଯେ ସଦାଚାର କମିଟି ସମ୍ମୁଖରେ ହାଜର ହେବା ସମୟରେ ତାଙ୍କର ବସ୍ତ୍ରହରଣ କରାଯାଇଛି | ସେ କହିଛନ୍ତି ଯେ ପ୍ୟାନେଲ ବୈଠକରେ ଅନୈତିକ ଏବଂ ଅଶୋଭନୀୟ ବ୍ୟବହାର କରାଯାଇଛି | ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କମିଟି ଅଧ୍ୟକ୍ଷ ବିଜେପି ସାଂସଦ ବିନୋଦ କୁମାର ସୋନକର ଏହି ମାମଲା ସମ୍ପର୍କିତ ପ୍ରଶ୍ନ ପଚାରିବା ପରିବର୍ତ୍ତେ ତାଙ୍କୁ ଅପମାନଜନକ ଢଙ୍ଗରେ ପ୍ରଶ୍ନ କରିଥିଲେ। ମୈତ୍ର ଏହି ଚିଠିରେ ଲେଖିଛନ୍ତି, “ସଦାଚାର କମିଟିର ଶୁଣାଣି ସମୟରେ କମିଟିର ଅଧ୍ୟକ୍ଷ ମୋ ସହ ଅନୈତିକ ଓ ଅଶୋଭନୀୟ ବ୍ୟବହାର ବିଷୟରେ ଜଣାଇବାକୁ ଚିଠି ଲେଖୁଛି | କହିବାକୁ ଗଲେ ସେ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ମୋର ବସ୍ତ୍ରହରଣ କରିଥିଲେ |

ସେ କହିଛନ୍ତି, “କମିଟିର ନାମ ସଦାଚାର କମିଟି ବ୍ୟତୀତ ଅନ୍ୟ କିଛି ନାମ ଦେବା ଉଚିତ୍ କାରଣ ଏଥିରେ କୌଣସି ନୈତିକତା ନାହିଁ। ପ୍ରସଙ୍ଗ ସହ ଜଡିତ ପ୍ରଶ୍ନ ପଚାରିବା ପରିବର୍ତ୍ତେ, ମୋତେ ସ୍ପଷ୍ଟ ଭାବରେ ଅପମାନଜନକ ଢଙ୍ଗରେ ପ୍ରଶ୍ନ ପଚରାଯାଇଥିଲା | ଏହି ସମୟ ମଧ୍ୟରେ ଉପସ୍ଥିତ ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ପାଞ୍ଚ ଜଣ ଏଭଳି ଲଜ୍ଜାଜନକ ଆଚରଣକୁ ବିରୋଧ କରି ବାହାରକୁ ଚାଲି ଯାଇଥିଲେ। ଉଲ୍ଲେଖ ଥାଉ କି ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆଜି ଲୋକସଭାର ସଦାଚାର କମିଟି ନିକଟରେ ହାଜର ହୋଇଥିଲେ। ପଚରାଉଚରା ଚାଲିଥିବା ବେଳେ ମହୁଆ ଅଧାରୁ ଉଠି ଚାଲି ଆସିଥିଲେ । ତାଙ୍କୁ ପଚରାଯାଇଥିବା ପ୍ରଶ୍ନ ପାଇଁ ସେ ରାଗରେ ବାହାରକୁ ଚାଲି ଆସିଥିବା କହିଥିଲେ । କେବଳ ସେ ନୁହନ୍ତି ବିଏସପି ସାଂସଦ ଦାନିଶ ଅଲିଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ବୁଧବାର ସଂସଦର ସଦାଚାର କମିଟିର ବୈଠକକୁ ବଏକଟ କରିଥିଲେ । ବିଏସପି ସାଂସଦ ଦାନିଶ ଅଲି କହିଥିଲେ ଯେ ସଦାଚାର କମିଟି ମହୁଆଙ୍କୁ ରାତିରେ କାହା ସହ କଥା ହେଉଛ ବୋଲି ପଚାରିଥିଲେ। ତେଣୁ ଆମେ ସମସ୍ତେ ଏହାର ବିରୋଧ କରି ବାହାରକୁ ଚାଲିଆସିଲୁ।

ସମ୍ବନ୍ଧିତ ଖବର