ବନ୍ୟା ଯୋଗୁଁ ଅଷ୍ଟ୍ରେଲିଆ ରାସ୍ତାଘାଟରେ କୁମ୍ଭୀର ଆତଙ୍କ; ସେନାବାହିନୀ ମୁତୟନ

କାଇରିନ୍‌ସ୍‌: ଅଷ୍ଟ୍ରେଲିଆର ଉତ୍ତରପୂର୍ବ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଘରଦ୍ୱାର, ସ୍କୁଲ୍‌ ଓ ବିମାନ ବନ୍ଦର ଆଦିରେ ପାଣି ମାଡ଼ିଯିବାରୁ ରାସ୍ତାଘାଟକୁ ଶହ ଶହ କୁମ୍ଭୀର ଉଠି ଆସିଛନ୍ତି।

ମୌସୁମୀ ବର୍ଷା ଭିଜା କୁଇନ୍‌ସ୍‌ଲାଣ୍ଡ୍‌ରେ ଅଷ୍ଟ୍ରେଲିଆନ୍‌ ଡିଫେନ୍‌ସ୍‌ ଫୋର୍ସ ୭୦, ୦୦୦ ବାଲିବସ୍ତା ଦେବା ସହ ଜଳ ଓ ସ୍ଥଳରେ ଚାଲିପାରୁଥିବା ମାଲ୍‌ପରିବହନ ଗାଡ଼ି ମୁତୟନ କରିଛି। ଯଦି ପ୍ରବଳ ବର୍ଷା ଲାଗି ରହେ ତେବେ ବନ୍ୟା ଯୋଗୁଁ ପ୍ରାୟ ୨୦, ୦୦୦ ଘର ପ୍ରଭାବିତ ହୋଇପାରେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଜଳମଗ୍ନ ରାସ୍ତାଘାଟରେ କେତେଗୁଡ଼ିଏ ଲୁଣିପାଣି କୁମ୍ଭୀର ଦେଖା ଦେବାରୁ ଲୋକମାନଙ୍କୁ ବନ୍ୟାପାଣି ମଧ୍ୟକୁ ନ ଯିବାକୁ ପୁଲିସ ତରଫରୁ ସତର୍କ କରାଇ ଦିଆଯାଇଛି।

୧୬୦୦୦ ରୁ ଅଧିକ ଲୋକଙ୍କ ଘରୁ ବର୍ଷା ଓ ବନ୍ୟା ଯୋଗୁଁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି। ବିପନ୍ନ ଲୋକମାନଙ୍କ ସକାଶ ଦୁଇଟି ବିମାନରେ ପ୍ରାୟ ୩୦୦୦ ଟନ୍‌ର ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପଠାଯାଇଛି।

ବର୍ଷାଜନିତ ବନ୍ୟା ଯେତେ ପ୍ରଳୟଙ୍କରୀ ହେଲେ ସୁଦ୍ଧା ଏହାର ସୁଫଳ ମଧ୍ୟ ମିଳିବ ବୋଲି ଜଣାପଡ଼ିଛି। କାରଣ ଦୀର୍ଘ ଦିନ ହେବ ଅଷ୍ଟ୍ରେଲିଆର ସେ ଅଞ୍ଚଳରେ ମରୁଡ଼ି ଦେଖା ଦେଇଛି।

ସୋମବାର ସକାଳେ ମାତ୍ର କେଇଘଣ୍ଟାରେ ଇନ୍‌ଗାମ ସହରରେ ୧୦ ସେମି ବର୍ଷା ହୋଇ ଯାଇଛି।

ସମ୍ବନ୍ଧିତ ଖବର