ବିବାହ ପ୍ରସ୍ତାବରେ ରାଜି ହେଲେ ନାହିଁ ପରିବାରଲୋକ ହସ୍ପିଟାଲ ବିଛଣାରେ ଜୀବନ ହାରିଲେ ପ୍ରେମୀଯୁଗଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜଫରନଗର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମୀଯୁଗଳଙ୍କ ବିବାହ ପ୍ରସ୍ତାବରେ ପରିବାରଲୋକ ରାଜି ନହେବାରୁ ଦୁହେଁ ଜଙ୍ଗଲରେ ବିଷ ପିଇ ଜୀବନ ହାରି ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି  ପ୍ରେମୀଯୁଗଳଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥ‌ା‌ରେ ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ମୁଜଫରନଗରର ଭୌରାକଲା ଅଞ୍ଚଳରେ ରହୁଥିବା ନିଶା ଓ ବିପିନ ଦୀର୍ଘଦିନ ଧରି ପରସ୍ପରକୁ ଭଲପାଇ ଆସୁଥିଲେ। ପରିବାରଲୋକଙ୍କୁ ଏହି ସମ୍ପର୍କ ବିଷୟରେ ଖବର ମିଳିବା ପରେ ସେମାନେ ନିଶା ଓ ବିପିନଙ୍କୁ ଆଉ ଭେଟାଭେଟି ହେବାକୁ ଦେଲେ ନାହିଁ। ଦୁହେଁ ନିଜ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ପରିବାରଲୋକଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଶା ଓ ବିପିନଙ୍କ ପରିବାରଲୋକ ନିଜନିଜ ଜିଦରେ ଅଟଳି ରହିଥିଲେ।

ଏହାପରେ ଆଉ କୌଣସି ଉପାୟ ନପାଇ ନିଶା ଓ ବିପିନ କାହାକୁ କିଛି ନଜଣାଇ ନିକଟସ୍ଥ ଜଙ୍ଗଲକୁ ଯାଇ ବିଷ ପିଇ ଦେଇଥିଲେ। ଜଙ୍ଗଲ ନିକଟସ୍ଥ ଜମିରେ କାମ କରୁଥିବା କିଛିଲୋକ ପ୍ରେମୀଯୁଗଳଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସରେ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ନିଶା ଓ ବିପିନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ସମୟରେ ହସ୍ପିଟାଲ ବିଛଣାରେ ପ୍ରେମୀଯୁଗଳଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ନିଶା ଓ ବିପିନଙ୍କ ପରିବାରଲୋକ ଝିଅ ଓ ପୁଅଙ୍କୁ ହରାଇ ସ୍ତବ୍ଧ ‌ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର