ଆତଙ୍କବାଦ ଏବଂ ଉଗ୍ରବାଦ ନେଇ ମିଳିତ ରଣନୀତିରେ କାର୍ଯ୍ୟ କରିବାକୁ ମୋଦୀ-ଜିନ୍‌ପିଙ୍ଗ୍‌ ସହମତି

ତୃତୀୟ ସମ୍ମିଳନୀ ପାଇଁ ଆମନ୍ତ୍ରଣକୁ ଗ୍ରହଣ କଲେ ମୋଦୀ, ଚୀନ୍‌ରେ ହେବ ମୋଦୀ-ଜିନ୍‌ପିଙ୍ଗ୍‌ ତୃତୀୟ ସମ୍ମିଳନୀ

ଚେନ୍ନାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ତୃତୀୟ ଅନୌପଚାରିକ ସମ୍ମିଳନୀ ଚୀନ୍‌ରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ତାମିଲନାଡ଼ୁର ମାମଲ୍ଲାପୁରମରେ ଆଜି ଅନୁଷ୍ଠିତ ଦ୍ବିତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କୁ ତୃତୀୟ ସମ୍ମିଳନୀ ପାଇଁ ଆମନ୍ତ୍ରଣ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରିଛନ୍ତି। ପାରସ୍ପରିକ ବୁଝାମଣାକୁ ଉତ୍ସାହିତ କରିବା ଏବଂ ମତଭେଦରୁ ଊର୍ଦ୍ଧ୍ବକୁ ଉଠି କାମ କରିବା ଦିଗରେ ଅନୌପଚାରିକ ସମ୍ମିଳନୀ ନିର୍ଣ୍ଣାୟକ ଭୂମିକା ନେଉଥିବାରୁ ତୃତୀୟ ସମ୍ମିଳନୀ ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତି ହୋଇସାରିଛି। ଚୀନ୍‌ର ଉହାନ୍‌ ସହରରେ ହୋଇଥିବା ପ୍ରଥମ ସମ୍ମିଳନୀରେ ଦୁଇ ନେତା ନେଇଥିବା ନିଷ୍ପତ୍ତିର ବ୍ୟାପକ ସକରାତ୍ମକ ପ୍ରଭାବ ରହିଥିଲା ଏବଂ ଏବେ ‘ଚେନ୍ନାଇ ସଂପର୍କ’ ଏଥିରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ବୋଲି ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି। ତୃତୀୟ ପର୍ଯ୍ୟାୟ ସମ୍ମିଳନୀ ପାଇଁ ତାରିଖ ଏବଂ ସ୍ଥାନ ପରବର୍ତ୍ତୀ ସମୟରେ ସ୍ଥିର ହେବ ବୋଲି ସେ କହିଛନ୍ତି। ଦ୍ବିତୀୟ ସମ୍ମିଳନୀରେ ଉଭୟ ନେତା ବନ୍ଧୁ ଭଳି ସବୁ ପ୍ରସଙ୍ଗରେ ମନ ଖୋଲା ଆଲୋଚନା କରିଥିଲେ ଏବଂ ବାଣିଜ୍ୟ ଓ ପୁଂଜିନିବେଶ କ୍ଷେତ୍ରରେ ମଧ୍ୟ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ଆତଙ୍କବାଦ ଏବଂ ଉଗ୍ରବାଦ ନେଇ ମିଳିତ ରଣନୀତିରେ କାର୍ଯ୍ୟ କରିବାକୁ ମୋଦୀ-ଜିନ୍‌ପିଙ୍ଗ୍‌ ସହମତି ପ୍ରକାଶ କରିଛନ୍ତି।

ଆଜି ଦୁଇ ନେତାଙ୍କ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଅନୌପଚାରିକ ଆଲୋଚନା ପ୍ରାୟ ୬ ଘଣ୍ଟା ଧରି ହୋଇଥିଲା ଏବଂ କୌଣସି ମତଭେଦକୁ ବିବାଦରେ ପରିଣତ ହେବାକୁ ଦିଆଯିବ ନାହିଁ ବୋଲି ଦୁଇ ନେତା ସହମତି ପ୍ରକାଶ କରିଛନ୍ତି। ମହାବଳୀପୁରମ ତାଜ୍‌ ଫିସରମେନ୍‌ କୋଭ୍‌ ରିସୋର୍ଟରେ ମୋଦୀ-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଶେଷ ପର୍ଯ୍ୟାୟ ଅନୌପଚାରିକ ବୈଠକ ହୋଇଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର