ଜି-୨୦ ଘୋଷଣାନାମାରେ ମୋଦୀଙ୍କ ବାର୍ତ୍ତା ପ୍ରତିଫଳିତ: ଖାଦ୍ୟ ଓ ଶକ୍ତି ସୁରକ୍ଷାକୁ ଗୁରୁତ୍ବ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଚାଲିଥିବା ଦୁଇ ଦିନିଆ ଜି-୨୦ ସମ୍ମିଳନୀ ଆଜି ଉଦ୍‌ଯାପିତ ହେବା ସହ ମିଳିତ ଘୋଷଣାନାମା ଜାରି ହୋଇଛି। ୟୁକ୍ରେନ ଯୁଦ୍ଧ ତୁରନ୍ତ ଶେଷ କରିବା ଏବଂ ବିଶ୍ବରେ ଖାଦ୍ୟ ଓ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମିଳିତ ପ୍ରୟାସ ନିମନ୍ତେ ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସେପ୍ଟେମ୍ବରରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯେଉଁ ଶାନ୍ତିର ବାର୍ତ୍ତା ଦେଇଥିଲେ ତାହା ଏହି ମିଳିତ ଘୋଷଣାନାମାରେ ପ୍ରତିଫଳିତ ହୋ‌ଇଛି। ଏଥିରେ କୁହାଯାଇଛି, ଜି-୨୦ର ସମସ୍ତ ରାଷ୍ଟ୍ରନେତା ୟୁକ୍ରେନ୍‌ରେ ତୁରନ୍ତ ଯୁଦ୍ଧ ପରିସମାପ୍ତି ସହ ଶାନ୍ତି ଚାହିଛନ୍ତି । ୟୁକ୍ରେନ୍‌ରେ ଜାରି ରହିଥିବା ଜଟିଳ ସ୍ଥିତି ପାଇଁ ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ଉପରେ ଅତି ଖରାପ ପ୍ରଭାବ ପଡ଼ିବ। ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କୂଟନୈତିକ ଉପାୟ ଏବଂ କଥାବାର୍ତ୍ତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ ବୋଲି ଏହି ଘୋଷଣାନାମାରେ କୁହାଯାଇଛି। ଅନେକ ଜି-୨୦ ରାଷ୍ଟ୍ର ରୁଷ୍‌ ୟୁକ୍ରେନରେ ଜାରି ରଖିଥିବା ଯୁଦ୍ଧକୁ କଡ଼ା ନିନ୍ଦା କରିଛନ୍ତି ଏବଂ ରୁଷ୍‌ର ଅଯୌକ୍ତିକ ଯୁଦ୍ଧ ବିଶ୍ବର ଆର୍ଥିକ ପୁନରୁଦ୍ଧାରରେ ବାଧା ସୃଷ୍ଟି କରୁଥିବା ଦର୍ଶାଇଛନ୍ତି।

ଏହି ଘୋଷଣାନାମା ଉପରେ ସବୁ ରାଷ୍ଟ୍ରର ସହମତି ପାଇଁ ଭାରତ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଜଣାପଡ଼ିଛି। ଭାରତ ଏହାର ସକରାତ୍ମକ ଏବଂ ଗଠନମୂଳକ ଆଭିମୁଖ୍ୟ ମାଧ୍ୟମରେ ସମାଧାନ ପ୍ରଦାନକାରୀ ଭାବେ ଉଭା ହୋଇଛି ବୋଲି ଘୋଷଣାନାମାରେ କୁହାଯାଇଛି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ବିଦେଶ ସଚିବ ବିନୟ ମୋହନ କ୍ବାତ୍ରା କହିଛନ୍ତି, ଏହି ଘୋଷଣାନାମାକୁ ନେଇ ସବୁ ରାଷ୍ଟ୍ରର ସହମତି ନିମନ୍ତେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ପରମାଣୁ ଅସ୍ତ୍ର ବ୍ୟବହାର ଏବଂ ଧମକ ଆଦୌ ଗ୍ରହଣୀୟ ନୁହେଁ ବୋଲି ଘୋଷଣାନାମାରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ରୁଷ୍‌ ବାରମ୍ବାର ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଧମକ ଦେଇ ଆସିଥିବାରୁ ଏହି ପରିପ୍ରେକ୍ଷୀରେ ପରମାଣୁ ଅସ୍ତ୍ର ବ୍ୟବହାର ସଂକ୍ରାନ୍ତରେ ଘୋଷଣାନାମାରେ ଉଲ୍ଲେଖ କରାଯାଇଛି। ଜି-୨୦ ବୈଠକରେ ମୁଖ୍ୟତଃ ୟୁକ୍ରେନ ଯୁଦ୍ଧ ଏବଂ ବିଶ୍ବ ଉପ‌ରେ ପଡ଼ୁଥିବା ଏହାର କୁପ୍ରଭାବ ସଂକ୍ରାନ୍ତରେ ଆଲୋଚନା ହୋଇଛି। ଜି-୨୦ର ସଦସ୍ୟମାନେ ଯୁଦ୍ଧ ପାଇଁ ଉପୁଜିଥିବା ମାନବୀୟ ସଙ୍କଟ ଏବଂ ଆର୍ଥିକ ପ୍ରଭାବ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ଯଥା ସମ୍ଭବ ତୁରନ୍ତ ଯୁଦ୍ଧ ଶେଷ କରିବା ପାଇଁ ରୁଷ୍‌-ୟୁକ୍ରେନ୍‌ କୂଟନୈତିକ ରାସ୍ତାକୁ ଫେରିବା ପାଇଁ କୁହାଯାଇଛି। ଏହି ଯୁଦ୍ଧ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଛି ବୋଲି କୁହାଯାଇଛି।

ସେହିପରି କଟକଣା ଯୋଗୁଁ ଯେଉଁ ଆର୍ଥିକ ସମସ୍ୟା ଆସିଛି ସେଥିପାଇଁ ମଧ୍ୟ କିଛି ସିଦସ୍ୟ ରାଷ୍ଟ୍ର ଚିନ୍ତା ପ୍ରକଟ କରିଛନ୍ତି। କିଛି ସଦସ୍ୟ ରାଷ୍ଟ୍ର କହିଛନ୍ତି, ଜି-୨୦ ରାଷ୍ଟ୍ରମାନେ ଏହି ଜଟିଳ ସ୍ଥିତିକୁ ରୋକିବା ପାଇଁ ମିଳିତ ପ୍ରୟାସ କଲେ ହିଁ ସୁଫଳ ମିଳିବ, ଅନ୍ୟଥା ସମସ୍ୟା ସାଂଘାତିକ ରୂପ ନେବ। ଏକ ବ୍ୟାପକ ଓ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରି ଖାଦ୍ୟ ଓ ଶକ୍ତି ସୁରକ୍ଷା ପାଇଁ ନିଷ୍ଠାର ସହ ପଦକ୍ଷେପ ନେବାକୁ କୁହାଯାଇଛି। ଜି-୨୦ ଘୋଷଣାନାମାର ଚତୁର୍ଥ ପଏଣ୍ଟ୍‌ରେ କୁହାଯାଇଛି ଯେ ଶାନ୍ତି ଏବଂ ସ୍ଥିରତାକୁ ସୁରକ୍ଷା ଦେଉଥିବା ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ ନହେବା ଉଚିତ।

ସମ୍ବନ୍ଧିତ ଖବର