ଜେଏନୟୁରେ ଲଜ୍ଜା : କ୍ୟାମ୍ପସ ଭିତରେ ପିଏଚଡି ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ

ନୂଆଦିଲ୍ଲୀ : ଦେଶର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ  ଜେଏନୟୁରେ ସୋମବାର ରାତିରେ ଏକ କଳଙ୍କିତ ଘଟଣା ଘଟିଛି । ଜଣେ ପିଏଚଡି ଛାତ୍ରୀ ବିଳମ୍ବିତ ରାତିରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବୁଲୁଥିବାବେଳେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ଏ ନେଇ ଦିଲ୍ଲୀର ବସନ୍ତକୁଞ୍ଜ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବାବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଜାତୀୟ ସ୍ତରର ଗଣମାଧ୍ୟମ ସୁତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ସୋମବାର ରାତି ୧୧ଟା ୪୫ ସମୟରେ ଜଣେ ପିଏଚଡି ଛାତ୍ରୀ କ୍ୟାମମ୍ପ ଭିତରେ ବୁଲୁଥିଲେ । ସେ ଇଷ୍ଟ ଗେଟ୍ ରୋଡ ଆଡ଼କୁ ଯିବାବେଳେ କ୍ୟାମ୍ପସ ଭିତରୁ ଜଣେ ଯୁବକ ଏକ ବାଇକରେ ଆସି ତାଙ୍କୁ ଅଟକାଇବା ସହ କ୍ୟାମ୍ପସ ଭିତରେ ଥିବା ବୁଦା ମଧ୍ୟକୁ ଜବରଦସ୍ତି ଟାଣି ନେଇଥିଲା । ସେଠାରେ ସେ ଛାତ୍ରୀଙ୍କ ପୋଷାକ ଚିରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ ଛାତ୍ରୀ ଜଣକ ଜୋରରେ ପାଟି କରିବାରୁ ସଂପୃକ୍ତ ଯୁବକ ସେଠାରୁ ପଳାଇଯାଇଥିଲା । ଗଲା ବେଳେ ସେ ଛାତ୍ରୀଙ୍କ ମୋବାଇଲ ନେଇଯାଇଥିବା କୁହାଯାଉଛି ।

ସଂପୃକ୍ତ ଛାତ୍ରୀଙ୍କ ବିଶ୍ବ ବିଦ୍ୟାଳୟର ସୁରକ୍ଷା କର୍ମୀମାନେ ଉଦ୍ଧାର କରି ହଷ୍ଟେଲକୁ ଆଣିଥିଲେ । ତାଙ୍କ ଦେହର କେତେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । କିନ୍ତୁ ସେ ଏବେ ହଷ୍ଟେଲରେ ହିଁ ଅଛନ୍ତି । ସେ ଗଭୀର ମାନସିକ ଆଘାତ ପାଇଥିବା ଜେଏନୟୁ ଛାତ୍ରସଂଘର ସଭାପତି ଆଇସି ଘୋଷ କହିଛନ୍ତି ।

 

ସମ୍ବନ୍ଧିତ ଖବର