ନାଗରିକତା ଆଇନ ପ୍ରସଙ୍ଗରେ ପଛକୁ ଫେରିବୁ ନାହିଁ, ରାହୁଲ ଯଦି ଏହି ଆଇନକୁ ବୁଝିପାରୁନାହାନ୍ତି, ତାଙ୍କୁ ଇଟାଲିରେ ଅନୁବାଦ କରି ପଠାଇବି : ଶାହା

ଯୋଧପୁର : ନାଗରିକତା (ସଂଶୋଧନ)ଆଇନ ପ୍ରସଙ୍ଗରେ ଆହୁରି କଠୋର ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ଆଇନକୁ ନେଇ ଇଞ୍ଚେ ମଧ୍ୟ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି ।
ଏଠାରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ସେ କହିଛନ୍ତି ଯେ ବିରୋଧୀ ଦଳମାନେ ଏକାଠି ହୋଇ ଯେତେ ବିରୋଧ କଲେ ମଧ୍ୟ ବିଜେପି ପଛକୁ ହଟିବ ନାହିଁ । ସେମାନେ ଯେତେ ଇଚ୍ଛା ଭୁଲ ପ୍ରଚାର କରିବା କଥା କରନ୍ତୁ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି ଯେ ସେ ଯଦି ଏହି ଆଇନକୁ ପଢିଛନ୍ତି ସେ ଆସନ୍ତୁ ଏ ସଂପର୍କରେ ବିତର୍କ କରାଯିବ । ଯଦି ପଢିନାହାନ୍ତି ତେବେ ଇଟାଲିରେ ଅନୁବାଦ କରି ସେ ପଠାଇବେ, ତାକୁ ରାହୁଲ ବାବା ପଢିନିଅନ୍ତୁ । ସେ କହିଛନ୍ତି ଯେ କଂଗ୍ରେସ ଭୋଟବ୍ୟାଙ୍କ ରାଜନୀତି ପାଇଁ ବୀର ସଭରକରଙ୍କ ପରି ବ୍ୟକ୍ତିତ୍ୱକୁ ନିନ୍ଦା କରୁଛି ।
ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । କିନ୍ତୁ ଏହା ସମ୍ବିଧାନର ବିରୋଧୀ କହି ଆନ୍ଦୋଳନ କରୁଛନ୍ତି ବିରୋଧୀଦଳ ଓ କେତେକ ସାମାଜିକ ସଂଗଠନ ।

ସମ୍ବନ୍ଧିତ ଖବର