ଗୁଜୁରାଟ : ଦୀପାବଳିରେ ଟ୍ରାଫିକ୍ ନିୟମ ଛାଡ଼, ଫାଇନ ବଦଳରେ ମିଳିବ ଫୁଲ

ଗାନ୍ଧିନଗର : ଦୀପାବଳି ଉପଲକ୍ଷେ ଗାଡ଼ି ଚାଳକଙ୍କ ପାଇଁ ଗୁଜୁରାଟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଦୀପାବଳି ସପ୍ତାହରେ ( ଅକ୍ଟୋବର ୨୧ରୁ ୨୭) ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଟ୍ରାଫିକ ପୁଲିସ ଉଲ୍ଲଙ୍ଘନକାରୀଙ୍କ ନାଁରେ ଚାଲାଣ କାଟିବ ନାହିଁ, ତା ବଦଳରେ ଏକ ଫୁଲ ପ୍ରଦାନ କରିବ ।

ଏ ସଂପର୍କରେ ଘୋଷଣା କରି ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଂଘଭି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନିର୍ଦ୍ଦେଶକ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକ୍ରମେ ଅକ୍ଟୋବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ ପୁଲିସ ଗାଡ଼ି ଚାଳକମାନଙ୍କଠାରୁ କୌଣସି ଚାଲାଣ ଆଦାୟ କରିବ ନାହିଁ । ଗାଡ଼ିଚାଳକମାନେ ହେଲମେଟ ପିନ୍ଧିନଥିଲେ, ଅଥବା ଡ୍ରାଇଭିଂ ଲାଇସେନ୍ସ ନଥିଲେ କିମ୍ବା ଭୁଲ ଡ୍ରାଇଭିଂ କରୁଥିଲେ ଟ୍ରାଫିକ୍ ପୁଲିସ କୌଣସି ଫାଇନ ଆଦାୟ କରିବ ନାହିଁ ବରଂ ଏକ ଫୁଲ ଦେଇ ସଚେତନ କିରବ । ୨୭ ତାରିଖ ପରେ ପୂର୍ବବତ୍ ଅମାନିଆ ଚାଳକଙ୍କଠାରୁ ଫାଇନ ଆଦାୟ କରାଯିବ ।

ସୂଚନାଯୋଗ୍ୟ ଯେ, ଗୁଜୁରାଟରେ ଆଗକୁ ବିଧାନସଭା ନିର୍ବାଚନ ରହିଛି । ଭୋଟରମାନଙ୍କ ଆକୃଷ୍ଠ କରିବାକୁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଲୋଭନୀୟ ଘୋଷଣା କରିଚାଲିଛନ୍ତି । ଏହା ପୂର୍ବରୁ ପ୍ରତି ପରିବାରକୁ ବର୍ଷକୁ ଦୁଇଟି ଏଲପିଜି ସିଲିଣ୍ଡର ମାଗଣା ପ୍ରଦାନ କରାଯିବ ବୋଲି ବିଜେପି ସରକାର ଘୋଷଣା କରିଥିଲେ ।

 

ସମ୍ବନ୍ଧିତ ଖବର