ନିଜେ ବିମାନ ଉଡ଼ାଇ ବିଶ୍ୱ ଭ୍ରମଣ କରୁଛନ୍ତି ଏହି ପରିବାର; ରୋମାଞ୍ଚକ ଯାତ୍ରାର ଭିଡିଓ ହେଲା ଭାଇରାଲ୍

ନୂଆଦିଲ୍ଲୀ: ୧୪ ମାସର ବିଶ୍ୱ ଭ୍ରମଣରେ ବାହାରିଛନ୍ତି ଏହି ପରିବାର । ପାଞ୍ଚ ସଦସ୍ୟ ବିଶିଷ୍ଟ ଏହି ପରିବାରର ସଦସ୍ୟମାନେ ନିଜେ ବିମାନ ଉଡ଼ାଇ ଏହି ରୋମାଞ୍ଚକ ଯାତ୍ରାରେ ବାହାରିଛନ୍ତି । ଏକ ଇଂଜିନ୍ ବିଶିଷ୍ଟ ବିମାନରେ ଯାତ୍ରା କରୁଥିବା  ହେତୁ ସେମାନେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଯାତ୍ରା କରୁଛନ୍ତି ।

ସୂଚନାନୁଯାୟୀ, ଜୁନ୍ ମାସରେ ଯାତ୍ରା ଆରମ୍ଭ କରି ଏପର୍ଯ୍ୟନ୍ତ ପରିବାର ବାହାମାସ୍, ଡୋମିନିକାନ୍ ରିପବ୍ଲିକ୍, ଆମେରିକାର ଭର୍ଜିନ ଦ୍ୱୀପପୁଞ୍ଜ ଏବଂ ଆର୍ଜେଣ୍ଟିନା ଭ୍ରମଣ କରିସାରିଛନ୍ତି ।  ୫୯ ବର୍ଷୀୟ ଇଆନଙ୍କ ସହ ତାଙ୍କ ପତ୍ନୀ ମିସେଲ(୫୮) ଏବଂ ତିନି ସନ୍ତାନ ସାମନ୍ଥା(୨୧), ସିଡନୀ(୧୮), ଖ୍ରୀଷ୍ଟୋଫର୍ (୧୫) ବିମାନରେ ଯାତ୍ରା କରୁଛନ୍ତି । ସେମାନେ ଏପର୍ଯ୍ୟନ୍ତ ୨୭ହଜାର କିଲୋମିଟର ଯାତ୍ରା କରିସାରିଛନ୍ତି । ଏଥିସହିତ ବିମାନଟି ୧୨ଟି ଦେଶରେ  ବିମାନ ଅବତରଣ କରାଇ ସାରିଛନ୍ତି । ଇୟାନ୍ ଜଣେ ରିଏଲ୍ ଇଷ୍ଟେଟ୍ ଡେଭଲପର । ଖବର ସରବରାହ ସଂସ୍ଥା  ସ୍ଵିନ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ପରିବାରର ଯାତ୍ରା ଭିଡିଓକୁ ଅପଲୋଡ୍ କରିଛି । ଭିଡିଓରେ ଦେଖାଯାଉଛି ଯେ, ଇୟାନ୍ ବିମାନ  ଉଡ଼ାଇବା ସହ  ତାଙ୍କ ଝିଅ ମଧ୍ୟ ବିମାନ ଉଡ଼ାଉଛି । ଏଥିସହିତ ଏହି ପରିବାର ରୋମାଞ୍ଚକ ଯାତ୍ରାକୁ ଟିକଟକରେ ପୋଷ୍ଟ କରିଛନ୍ତି।

ଭିଡିଓରେ, ଇୟାନଙ୍କ ପରିବାର ମଧ୍ୟ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରୁଛନ୍ତି । ଯାତ୍ରା ସମୟରେ ସେମାନେ  ଅନେକ ସ୍ଥାନରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆର୍ଜେଣ୍ଟିନାରେ ସେମାନେ ଏପରି ଏକ ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ, ଯାହା କାଦୁଅରେ ଭର୍ତ୍ତି ଥିଲା । ଯେହେତୁ  ଇୟାନ୍ ଏକ ଇଂଜିନ୍ ବିଶିଷ୍ଟ ବିମାନରେ ଯାତ୍ରା କରୁଛନ୍ତି ତେଣୁ ସୁରକ୍ଷା ଲାଗି ଜଙ୍ଗଲ ସର୍ଭାଇଭାଲ୍ ବଟନ୍, ପର୍ସନାଲ୍ ଲୋକେଟର୍ ବିକନ୍ ଆଦି ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଉପକରଣ ସାଥିରେ ନେଇଛନ୍ତି।  ପରିବାର ମଧ୍ୟ ଆର୍ଜେଣ୍ଟିନାର ଇଗୁଆଜୁ ଜଳପ୍ରପାତ ପରିଦର୍ଶନ କରିଥିଲେ । ଏଠାରେ ସମୁଦାୟ ୨୭୫ଟି  ଜଳପ୍ରପାତ ଅଛି । ଭିଡିଓ ମାଧ୍ୟମରେ ପରିବାରର ସଦସ୍ୟ ଏହା ମଧ୍ୟ କହିଛନ୍ତି ଯେ, ବିମାନ ଉଡ଼ାଣ ବେଳେ ପାଣିପାଗର ପରିବର୍ତ୍ତନ ହେତୁ ବହୁ  ଅସୁବିଧାର ସାମ୍ନା ସେମାନେ କରିଛନ୍ତି। ତଥାପି ଜାରି ରହିଛି ଯାତ୍ରା।

ସମ୍ବନ୍ଧିତ ଖବର