ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା

ଟୋକିଓ : କୋରୀୟ ଉପଦ୍ବୀପର ପୂର୍ବ ଉପକୂଳରେ ରବିବାର ଉତ୍ତର କୋରିଆ ସମୁଦ୍ରରେ ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହା ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହୋଇପାରେ ବୋଲି ଜାପାନ କୋଷ୍ଟ ଗାର୍ଡ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଗୁରୁବାର ଉତ୍ତର କୋରିଆ କୋରୀୟ ଉପଦ୍ବୀପ ଓ ଜାପାନ ମଧ୍ୟବର୍ତ୍ତୀ ସମୁଦ୍ରରେ ଏକ ଅନ୍ତର୍ଜାତୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଥିଲା।

ସେହି ଗୁରୁବାର ପରମାଣୁ ଶକ୍ତିସମ୍ପନ୍ନ ପଡ଼ୋଶୀ ସହ କିପରି ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ପାଇଁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଟୋକିଓ ଗସ୍ତ କରିଥିଲେ। ଦକ୍ଷିଣ କୋରିଆ ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ହେଉଛି ଦକ୍ଷିଣ କୋରିଆ ଓ ଆମେରିକାର ମିଳିତ ସମରାଭ୍ୟାସର ପ୍ରତିକ୍ରିୟା। ଏ ପ୍ରକାର ସମରାଭ୍ୟାସକୁ ପ୍ୟୋଙ୍ଗ୍ୟାଙ୍ଗ ଉତ୍ତରକୋରିଆ ବିରୋଧରେ ଯୁଦ୍ଧ ପ୍ରସ୍ତୁତି ବୋଲି ମନେ କରୁଛି।
ଉଭୟ ଜାପାନ ଓ ଦକ୍ଷିଣ କୋରିଆ ରବିବାରର ଉକ୍ତ କ୍ଷେପଣାସ୍ତ୍ର ପରୀକ୍ଷାକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଏହା ଜାତିସଂଘ ସୁରକ୍ଷା ପରିଷଦ ନିୟମର ଖୋଲା ଉଲ୍ଲଂଘନ। ପ୍ୟୋଙ୍ଗ୍ୟାଙ୍ଗର ଏହି କ୍ଷେପଣାସ୍ତ୍ର ମାଡ଼ ଜାପାନ, ଆଖପାଖ ଅଞ୍ଚଳ ଓ ଅନ୍ତର୍ଜାତୀୟ ସମୁଦାୟର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ ବୋଲି ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର