ସାଲିଆସାହିରେ ପଶିପାରୁନି ପିସିଆର୍‌

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର, ସହିଦନଗର ଓ ନୂଆପଲ୍ଲୀ ଥାନା ଉପରୁ ଚାପ କମାଇବାକୁ ପ୍ରତିଷ୍ଠା ହେଲା ମୈତ୍ରୀବିହାର ଥାନା। ଲକ୍ଷ୍ୟ ଥିଲା, ସାଲିଆସାହି ଉପ‌ରେ ସ୍ବତନ୍ତ୍ର ନଜର ରହିବ। ଦିନରାତି ଏହି ଅଞ୍ଚଳ ଭିତରେ ପୁଲିସ ପହରା ମାରିବ। ଅପରାଧ ଘଟିବା କ୍ଷଣି ପୁଲିସ ପହଞ୍ଚିବ। ସମସ୍ୟାର ସମାଧାନ କରିବ, ନ ହେଲେ କାର୍ଯ୍ୟାନୁଷ୍ଠାନ ନେବ। କମିସନରେଟ୍‌ ପୁଲିସ ଏଭଳି ଯୋଜନା କରିଥିଲେ ମଧ୍ୟ ତାହା ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଥାନା ପ୍ରତିଷ୍ଠା ହେବାକୁ ମାସେ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପିସିଆର ଭ୍ୟାନ୍‌ ଯୋଗାଇ ଦିଆଯାଇନାହିଁ। ଯେଉଁଥିପାଇଁ ଚନ୍ଦ୍ରଶେଖରପୁର ଥାନାରେ ଥିବା ପିସିଆର୍‌ ପୂର୍ବଭଳି ସାଲିଆସାହି ସମେତ ମୈତ୍ରୀବିହାର ଥାନା ଅଧୀନ ଅଧିକାଂଶ ଅଞ୍ଚଳରେ ଚକ୍କର କାଟୁଛି। କିନ୍ତୁ ପୂର୍ବଭଳି ସାଲିଆସାହି ଭିତରକୁ ପଶିପାରୁନି। ଗଳିକନ୍ଦିରେ ଅପରାଧ ରୋକିବା ଲାଗି କମିସନରରେଟ୍‌ ପୁଲିସ ପକ୍ଷରୁ ବାଇକ୍‌ ପିସିଆର୍‌ ବ୍ୟବସ୍ଥା ହୋଇଛି। କିନ୍ତୁ ତାହା ମଧ୍ୟ ଏଯାଏ ମୈତ୍ରୀବିହାର ଥାନାରେ ଉପଲବ୍ଧ ହୋଇନାହିଁ।

କମିସନରେଟ୍‌ ପୁଲିସର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସାଲିଆସାହିରେ ଅଣଓସାରିଆ ରାସ୍ତା। ତା’ ସାଙ୍ଗକୁ ବହୁ ପରିମାଣର ଗଳିକନ୍ଦି ରହିଛି, ଯେଉଁଠାକୁ ପିସିଆର ପଶିବା ସମ୍ଭବପର ନୁହେଁ। ‌ଯେଉଁଥିପାଇଁ ବିଭିନ୍ନ ସମୟରେ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ରାତିରେ ବସ୍ତି ଭିତରେ କୌଣସି ଅଘଟଣ ଘଟିଲେ ପୁଲିସକୁ ଗୁରୁ କେଳୁଚରଣ ପାର୍କ ନିକଟ ନ ହେଲେ ଲୟୋଲା ସ୍କୁଲ ରାସ୍ତାରେ ପିସିଆର ରଖି ବସ୍ତି ଭିତରକୁ ଯିବାକୁ ପଡ଼ୁଛି। ପାଖାପାଖି ଦେଢ଼ରୁ ୨କିମି ଚାଲିଚାଲି ଯିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚୁଛି। ସେତେବେ‌ଳକୁ ସ୍ଥିତି ଅଣାୟତ୍ତ ହୋଇଯାଉଛି। ଅପରାଧୀ ବି ଚମ୍ପଟ୍‌ ମାରୁଛି। ବସ୍ତି ଭିତରେ ଭ୍ୟାନ୍‌ ଯିବାକୁ ମାତ୍ର ଗୋଟିଏ ହିଁ ରାସ୍ତା ରହିଛି, ଯାହାକି ହାତିଆଶୁଣିରୁ ଏକାମ୍ରକାନନ ପର୍ଯ୍ୟନ୍ତ। ଏହି ରାସ୍ତା ସବୁବେଳେ ଜାମ୍‌ ରହୁଥିବାରୁ ହଇରାଣ ହେବାକୁ ପଡ଼ୁଛି। ଏହି ରାସ୍ତାରେ ଗଲେ ବି ସମ୍ପୂର୍ଣ୍ଣ ବସ୍ତି ଭିତରେ ପ୍ରବେଶ କରିବା ସମ୍ଭବପର ହେଉନାହିଁ। ତେଣୁ ବାଇକ୍‌ ପିସିଆର୍‌ର ଆବଶ୍ୟକତା ରହିଛି।

ମୈତ୍ରୀବିହାର ଫାଣ୍ଡିକୁ ଥାନାର ମାନ୍ୟତା ମିଳିବା ପରେ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଓ ସହିଦନଗର ଭଳି ୩ଟି ଗୁରୁତ୍ବପୂର୍ଣ୍ଣ ଥାନା ଚାପମୁକ୍ତ ହୋଇଛି। ମୈତ୍ରୀବିହାର ଥାନା ଅଧୀନରେ ସାଲିଆସାହିର ୪୩ଟି ବସ୍ତି ସମେତ ମେ’ ଫେୟାର୍ ହୋଟେଲ୍‌ର ପଛପାର୍ଶ୍ବ, ଦୂରଦର୍ଶନ କେନ୍ଦ୍ର, ସୈନିକ ସ୍କୁଲର ଅପରପାର୍ଶ୍ବ, ପ୍ରେସ୍ ଛକ, କେୟାର୍ ହସ୍ପିଟାଲ୍‌ରୁ ଲୁମ୍ବିନୀ ବିହାର ଦେଇ ଉତ୍କଳ ହସ୍ପିଟାଲ୍, ସପ୍ତମ ବାଟାଲିୟନ, ରେଳ ବିହାର, ରେଳ ସଦନ, ଫର୍ଚ୍ୟୁନ୍‌ ଟାଵାର୍, ଜାଭିୟର୍ ଛକ ପ୍ରମୁଖ ଅଞ୍ଚଳ ଆସିଛି। ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନାକୁ ୨ଟି ଲେଖାଏଁ ପିସିଆର୍ ଭ୍ୟାନ୍ ଯୋଗାଇ ଦିଆଯାଇଛି। ମାତ୍ର ମୈତ୍ରୀବିହାର ଥାନାକୁ ଏଯାବତ୍ କୌଣସି ପିସିଆର୍ ଭ୍ୟାନ୍ ଦିଆଯାଇ ନଥିବାରୁ ଏହି ଅଞ୍ଚଳରେ ପୁଲିସ୍ ପାଟ୍ରୋଲିଂ ଢିଲା ହୋଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି।

ମୈତ୍ରୀବିହାର ଥାନାକୁ ଗୋଟିଏ ଭ୍ୟାନ୍ ରହିଛି। ଯାହାକୁ ବିଭିନ୍ନ ସମୟରେ ଚଢ଼ଉ ବେଳେ ବ୍ୟବହାର କରାଯାଉଛି। ଫଳରେ ପାଟ୍ରୋଲିଂ, ରାସ୍ତା ଚେକିଂ ଓ ବ୍ଲକିଂ ବେଳେ ସମସ୍ୟା ଦେଖାଯାଉଛି। ଅପରାଧୀଙ୍କୁ ଏହି ଭ୍ୟାନ୍‌ରେ କୋର୍ଟ ପଠାଗଲେ ଥାନାରେ ଗାଡ଼ି ସମସ୍ୟା ସୃଷ୍ଟି ହେଉଛି। ସିଧାସଳଖ ଥାନାକୁ ଯୋଗ‌ାଯୋଗ କରି ସୂଚନା ଦେଲେ ମଧ୍ୟ ଘଟଣାସ୍ଥଳରେ ଠିକ୍‌ ସମୟରେ ପୁଲିସ ପହଞ୍ଚିପାରୁ ନାହିଁ। କିଛି ଦିନ ମଧ୍ୟରେ ଜୟଦେବ ବିହାରରୁ ରଘୁନାଥପୁର ବ୍ରିଜ୍ ମଧ୍ୟରେ ୫ଟି ଦୁର୍ଘଟଣା ଘଟିଥିଲେ ମଧ୍ୟ ପିସିଆ ଭ୍ୟାନ୍‌ ନ ଥିବାରୁ ପୁଲିସ ବିଳମ୍ବରେ ପହଞ୍ଚିଥିବାରୁ ଉତ୍ତେଜନା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର