ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌

ରାଜ୍ୟସଭାରେ ରେଳ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ଜାରି ରହିଥିବା ବେଳେ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ସ୍ବାଭାବିକ ସ୍ଥିତି ଦେଖିବାକୁ ମିଳିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର ଲୋକସଭାରେ ଦେଇଥିବା ବିବୃତ୍ତି ନେଇ ରାଜନୀତି ସରଗରମ ହୋଇଛି। ରାହୁଲ ଗୃହରେ ମିଥ୍ୟା ବିବୃତ୍ତି ଦେବା ସହ ଦେଶରେ ବିଭାଜନ ସୃଷ୍ଟି ପାଇଁ ଷଡ଼ଯନ୍ତ୍ର କରିଥିବା ବିଜେପି ଅଭିଯୋଗ କରିଛି। ଏହି ପ୍ରସଙ୍ଗ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ରହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଏବଂ ଅବମାନନା ଅଭିଯୋଗରେ ନୋଟିସ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ବେଳେ ରାହୁଲ ଗାନ୍ଧି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସମ୍ପର୍କ ନେଇ ମିଥ୍ୟା ଓ ବିଭ୍ରାନ୍ତିକର ବୟାନ ଦେଇଥିବା ଅଭିଯୋଗ କରି ବିଜେପି ସାଂସଦ ଏହି ନୋଟିସ ଦେଇଛନ୍ତି।

ରାଜ୍ୟ ସୀମା ନିର୍ଣ୍ଣୟ କରିବାର ଅଧିକାର ବିଧାନସଭାର ନଥିବା ବେଳେ ରାହୁଲ ଅତ୍ୟନ୍ତ ବେପରୁଆ ଭାବେ ଏ ସଂକ୍ରାନ୍ତ ବୟାନ ରଖିଛନ୍ତି ବୋଲି ଦୁବେ କହିଛନ୍ତି। ରାହୁଲ ସିଧାସଳଖ ବାବାସାହେବଙ୍କ ପ୍ରଣିତ ସମ୍ବିଧାନକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଭାରତ ଏହାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ ହୋଇଥିବା ବେଳେ ରାହୁଲ ଏଥିରେ ବିଭାଜନ ସୃଷ୍ଟି ପାଇଁ ଷଡ଼ଯନ୍ତ୍ରପୂର୍ଣ୍ଣ ଭାବେ ପ୍ରୟାସ କରିଛନ୍ତି ଏବଂ ତାଙ୍କର ମାନସିକତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଦୁଇ ରାଷ୍ଟ୍ର ସିଦ୍ଧାନ୍ତ ଭଳି ବୋଲି ଦୁବେ କହିଛନ୍ତି।

ଅନ୍ୟପକ୍ଷରେ ଆଜି ରାଜ୍ୟସଭା ସଂପୂର୍ଣ୍ଣ ବାଧାମୁକ୍ତ ରହିଥିବାରୁ ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପେଗାସସ ମାମଲାରେ ବିରୋଧୀ ଦଳମାନେ ଆଜି ରାଜ୍ୟସଭାରେ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ପ୍ରସଙ୍ଗରେ ଗୃହକୁ ବିଭ୍ରାନ୍ତ କରିଥିବା ଅଭିଯୋଗ ଆଣି ସ୍ବାଧିକାର ଭଙ୍ଗ ନୋଟିସ୍‌ ଦେଇଛନ୍ତି। ଏହି ନୋଟିସ୍‌କୁ ନେଇ ତର୍ଜମା କରାଯାଉଛି ଏବଂ ମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମଗାଯିବ ବୋଲି ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର