ସିଏଏ ଉପରେ ରୋକ୍ ଲାଗିବନି: କେନ୍ଦ୍ରକୁ ନୋଟିସ, ଜବାବ ଦାଖଲ ପାଇଁ ୩ ସପ୍ତାହ

ଏପ୍ରିଲ ୯ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନ (ସିଏଏ)-୨୦୧୯ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତେବେ ଏହି ଆଇନକୁ ବିରୋଧରେ କରି ଆଗତ ପିଟିସନ ଉପରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ତିନି ସପ୍ତାହ ମଧ୍ୟରେ ଜବାବ ଦେବାପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୯ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି।

ଏହି ବିବାଦୀୟ ଆଇନକୁ ବିରୋଧ କରି ସାରା ଦେଶରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ୨୩୬ଟି ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା। ଆଇନ ଉପରେ ତୁରନ୍ତ ରୋକ୍ ଲଗାଇବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ ଯେ ସିଏଏ ସଂସଦରେ ଅନୁମୋଦନ ଲାଭ କରିବାର ୪ ବର୍ଷ ବିତିଗଲାଣି। ୪ ବର୍ଷ ପରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ସିଏଏ ବିଜ୍ଞପ୍ତି ତତ୍କାଳ ଅଟକିବା ଜରୁରି। ଆବେଦନକାରୀଙ୍କ ପକ୍ଷରୁ ଅଦାଲତରେ ହାଜର ହୋଇଥିବା ଅନ୍ୟ ଜଣେ ଆଇନଜୀବୀ ଇନ୍ଦିରା ଜୟସିଂହ ମଧ୍ୟ ସିଏଏ ଉପରେ ରହିତାଦେଶ ଲଗାଇବାକୁ ଯୁକ୍ତି କରିଥିଲେ। ଏହି ମାମଲାକୁ ବଡ଼ ଖଣ୍ଡପୀଠକୁ ପଠାଯାଉ ବୋଲି ସେ କହିଥିଲେ। ତେବେ ପ୍ରଧାନ ବିଚାରପତି ଏହି ଯୁକ୍ତିକୁ ଅଗ୍ରାହ୍ୟ କରି କହିଥିଲେ ଯେ ବିଜ୍ଞପ୍ତି ଉପରେ ଏବେ ରୋକ୍‌ ଲାଗିପାରିବ ନାହିଁ। ଜବାବ ପାଇଁ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯିବ ଏବଂ ସେମାନେ ସମୟ ମାଗିବାର ଅଧିକାର ରଖୁଛନ୍ତି। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ୪ ସପ୍ତାହ ସମୟ ମାଗିଥିବା ବେଳେ ପ୍ରଧାନ ବିଚାରପତି ୩ ସପ୍ତାହରେ ଜବାବ ଦାଖଲ ପାଇଁ କହିଥିଲେ। ସଲିସିଟର ଜେନେରାଲ କହିଥିଲେ ଯେ ସିଏଏ କୌଣସି ବ୍ୟକ୍ତିଙ୍କ ନାଗରିକତା ଛଡ଼ାଇ ନେବନାହିଁ। ନାଗରିକତା ସଂଶୋଧନ ଆଇନ-୨୦୧୯ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକ ସର୍ବୋଚ୍ଚ ଅଦାଲତରେ ରଦ୍ଦ ହେବା ଉଚିତ ବୋଲି ଦର୍ଶାଇ ମେହେଟ୍ଟା ଦୃଢ଼ ଯୁକ୍ତି ରଖିଥିଲେ ଏବଂ ଆଇନର ମୁଖ୍ୟ ଉଦ୍ଦେଶ୍ୟ କେବଳ ନାଗରିକତା ପ୍ରଦାନ ବୋଲି କହିଥିଲେ।

ପ୍ରଧାନ ବିଚାରପତି କହିଥିଲେ ଯେ ପୂର୍ବରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ଆସାମ ମାମଲାର ପୃଥକ ଶୁଣାଣି ହେବ। ଜଣେ ଆବେଦନକାରୀ କହିଥିଲେ ଯେ ଏହି ବିଜ୍ଞପ୍ତିର ୬ବି(୪) ରୁଲ୍‌ ଅନୁଯାୟୀ ଆସାମର କେତେକ ଆଦିବାସୀ ଅଞ୍ଚଳରେ ସିଏଏ ଲାଗୁ ହେବନାହିଁ। ମେଘାଳୟ, ତ୍ରିପୁରା, ମିଜୋରାମକୁ ଏଥିରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରଖାଯାଇଛି। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ସମଗ୍ର ରାଜ୍ୟ ଏଥିରୁ ବାଦ୍ ପଡ଼ିନାହିଁ, କେବଳ ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ ହୋଇଥିବା ଅଞ୍ଚଳ ଏଥିରୁ ବାଦ୍ ପଡ଼ିଛି।

ସୂଚନାଯୋଗ୍ୟ ଯେ ସିଏଏ ଆଇନ ସଂସଦରେ ୧୧ ଡିସେମ୍ବର ୨୦୧୯ରେ ଗୃହୀତ ହୋଇଥିଲା। ଏଥିରେ ୧୯୫୫ର ନାଗରିକତା ଅଧିନିୟମରେ ସଂଶୋଧନ କରାଯାଇଛି। ଏହି ଆଇନ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ହିନ୍ଦୁ, ଶିଖ୍‌, ଜୈନ, ପାର୍ସି, ବୌଦ୍ଧ ଏବଂ ଖ୍ରୀଷ୍ଟୀଆନ ସଂପ୍ରଦାୟରୁ ଆସିଥିବା ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରାପ୍ତ କରିବା ପାଇଁ ମାର୍ଗ ପ୍ରଶସ୍ତ କରିଛି। ଶୁଣାଣିରେ ପ୍ରବାସୀଙ୍କ ପକ୍ଷରୁ ଓକିଲ ରଣଜିତ କୁମାର କହିଛନ୍ତି ଯେ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବାରୁ ସେମାନେ ଭାରତ ଆସିଥିଲେ। ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବାକୁ ନେଇ ବିରୋଧ କାହିଁକି ? ଏହାର ଜବାବରେ ଇନ୍ଦିରା ଜୟସିଂହ ପଚାରିଥିଲେ ଯେ ସେମାନଙ୍କୁ ଭୋଟ୍ ଦେବାର ଅଧିକାର ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ କାହିଁକି? କୋର୍ଟ ଏହି ପ୍ରସଙ୍ଗରେ କହିଥିଲେ ଯେ ସରକାରଙ୍କ ଜବାବ ଆସିବା ପରେ ହିଁ ଏ ନେଇ ପରବର୍ତ୍ତୀ ଶୁଣାଣି ହେବ। ସିଏଏ ବିରୋଧରେ ଆଇୟୁଏମ୍ଏଲ୍ ବ୍ୟତୀତ ଅନ୍ୟ କେତେକ ଆବେଦନକାରୀଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରା ମଧ୍ୟ ଅଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି, ଆସାମ କଂଗ୍ରେସ ନେତା ଦେବବ୍ରତ ସାଇକିଆ, ଆସାମ ଓକିଲ ସଂଘ ଏବଂ ଅନେକ ଏନ୍‌ଜିଓ ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି। ସୂଚନାଯୋଗ୍ୟ, କେରଳ ହେଉଛି ପ୍ରଥମ ରାଜ୍ୟ ଯିଏ ୨୦୨୦ରେ ସିଏଏ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଏବଂ ଏହା ଭାରତୀୟ ସମ୍ବିଧାନ ଦ୍ୱାରା ପ୍ରଦାନ କରାଯାଇଥିବା ସମାନତା ଅଧିକାରର ବ୍ୟବସ୍ଥା ବିରୁଦ୍ଧରେ ବୋଲି କହିଥିଲା।

ସମ୍ବନ୍ଧିତ ଖବର