ପାକିସ୍ତାନରେ ଚାଞ୍ଚଲ୍ୟ; ମାଟିତଳୁ ବାହାରିଲା ପ୍ରଭୁ ଶିବ, ହନୁମାନ ଓ ଗଣେଶଙ୍କ ଏକାଧିକ ବିଗ୍ରହ

କରାଚି: ପାକିସ୍ତାନସ୍ଥିତ କରାଚିର ମାଟିତଳୁ ଗତ ସୋମବାର, ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଶିବ, ହନୁମାନ ଓ ଗଣେଶଙ୍କ ଏକାଧିକ ବିଗ୍ରହ ଉଦ୍ଧାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିବା ସହ ସମଗ୍ର ପାକିସ୍ତାନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
Dawn
ପାକିସ୍ତାନରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର ‘ଡନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆସନ୍ତା ଅକ୍ଟୋବର ମାସରେ ପାଳିତ ହେବାକୁ ଥିବା ନବରାତ୍ର ଉତ୍ସବ ଉପଲକ୍ଷେ କରାଚିରେ ଥିବା ଏକ ୧୫୦୦ ବର୍ଷ ପୁରାତନ ପଞ୍ଚମୁଖୀ ହନୁମାନ ମନ୍ଦିରର ଆଧୁନିକୀକରଣ କାର୍ଯ୍ୟ ଗତ ଶନିବାର ଠାରୁ ଆରମ୍ଭ ହୋଇଥିଲା। ତେବେ, ଗତ ସୋମବାର ଗଣେଶ ଚତୁର୍ଥୀ ଦିନ ମନ୍ଦିର ସଂଲଗ୍ନ ଏକ ଜାଗା ଖୋଳା ଯାଉଥିବା ବେଳେ ସେଠାରେ ମାଟିତଳୁ ଏକାଧିକ ପ୍ରଭୁ ଶିବ, ହନୁମାନ ଓ ଗଣେଶଙ୍କ ବିଗ୍ରହ ଉଦ୍ଧାର କରା ଯାଇଥିଲା। ମାଟିତଳୁ ଉଦ୍ଧାର କରା ଯାଇଥିବା ବିଗ୍ରହଗୁଡ଼ିକ ମଧ୍ୟରେ ୯ଟି ହନୁମାନଙ୍କର ବିଗ୍ରହ ରହିଥିବା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଉକ୍ତ ୧୫୦୦ ବର୍ଷ ପୁରାତନ ପଞ୍ଚମୁଖୀ ହନୁମାନ ମନ୍ଦିରର ଚତୁଃପାର୍ଶ୍ୱକୁ ସ୍ଥାନୀୟ ଲୋକେ ଜବରଦଖଲ କରି ନେଇଥିବା ବେଳେ ମନ୍ଦିର କର୍ତ୍ତୃପକ୍ଷ ତିନି ମାସ ତଳେ ଜବରଦଖଲ ଉଚ୍ଛେଦ କରିଥିଲେ। ପରବର୍ତ୍ତୀ ସମୟରେ ନବରାତ୍ର ପୂର୍ବରୁ ସଂପୃକ୍ତ ମନ୍ଦିରର ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଗଣମାଧ୍ୟମକୁ କହିଛନ୍ତି ମନ୍ଦିରର ଟ୍ରଷ୍ଟି ଶ୍ରୀରାମ ନାଥ ମହାରାଜ।
କଥିତ ଅଛି ପ୍ରଭୁ ଶ୍ରୀରାମ ବନବାସରେ ଥିବାବେଳେ ଏହି ମନ୍ଦିରକୁ ଆସିଥିଲେ।
ସମ୍ବନ୍ଧିତ ଖବର