ସୁଜାତ୍‌ ହତ୍ୟା ପଛରେ ପାକିସ୍ତାନ!

ସନ୍ଦିଗ୍ଧଙ୍କ ଫଟୋ ଜାରି, ଜଣେ ଗିରଫ, ଶେଷକୃତ୍ୟରେ ହଜାର ହଜାର ସମର୍ଥକଙ୍କ ଭିଡ଼

ଶୀନଗର: ଗତକାଲି ଜମ୍ମୁ-କଶ୍ମୀରର ବରିଷ୍ଠ ସାମ୍ବାଦିକ ତଥା ରାଇଜିଂ କଶ୍ମୀର ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ସୁଜାତ୍‌ ବୁଖାରୀ ଓ ତାଙ୍କର ଦୁଇ ସୁରକ୍ଷାକର୍ମୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଆଜି ଏକ ଗଣମାଧ୍ୟମ ସାକ୍ଷାତକାରରେ ଲେଫ୍ଟନାଣ୍ଟ ଜେନେରାଲ ଏ.କେ.ଭଟ୍ଟ ଏହି ଘଟଣା ପାଇଁ ପାକିସ୍ତାନକୁ ଦାୟୀ କରି କେତେକ ତଥ୍ୟ ରଖିଛନ୍ତି। ସୁଜାତ୍‌ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସପକ୍ଷରେ ମତପ୍ରକାଶ କରୁନଥିବାରୁ ସେ ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ପୂର୍ବରୁ ମଧ୍ୟ ରହି ଆସିଥିଲେ। ନିକଟରେ ରାଜ୍ୟରେ ସେନାର ଅସ୍ତ୍ରବିରତି ସମୟରେ ପାକିସ୍ତାନର ଗୁଳିମାଡ଼କୁ ବୁଖାରୀ ସମାଲୋଚନା କରିଥିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଇଥିବା ଜଣାପଡ଼ିଛି।

ଆଜି ଜମ୍ମୁ-କଶ୍ମୀର ପୁଲିସ୍‌ ସୁଜାତ୍‌ ହତ୍ୟା ଘଟଣାର ସିସିଟିଭି ଫୁଟେଜ ଜାରି କରିଛି। ଏହା ସହିତ ଏହି ଘଟଣାରେ ୪ ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ଆଜି ସନ୍ଧ୍ୟାରେ ଗିରଫ କରାଯାଇଛି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ସିସିଟିଭିର ଭିଡିଓ ଫୁଟେଜ ଆଧାରରେ ପୁଲିସ୍‌ ୪ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରିଛି। ଭିଡିଓରେ ସ୍ପଷ୍ଟଭାବେ ଦେଖା ଯାଉଛି ଯେ, କିଭଳି ଭାବେ ମୋଟର ସାଇକେଲରେ ଆସିଥିବା ୩ ଜଣ ଯୁବକ ବୁଖାରୀଙ୍କ ଗାଡ଼ି ଉପରକୁ ୧୫ ରାଉଣ୍ଡରୁ ଅଧିକ ଗୁଳିମାଡ଼ କରିଥିଲେ। କିନ୍ତୁ ପୁଲିସ୍‌ ଜାରି କରିଥିବା ଚତୁର୍ଥ ବ୍ୟକ୍ତି କାର୍‌ ଭିତରକୁ ପଶି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ବହାରକୁ ଆଣୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଘଟିବା ପୂର୍ବରୁ ମଧ୍ୟ ସିସିଟିଭି ଫୁଟେଜରେ ଏହି ବ୍ୟକ୍ତିକୁ ଦେଖିବାକୁ ମିଳିଛି। ତେବେ କାର୍‌୍‌ ମଧ୍ୟରୁ ଶବ ବାହାର କରିବା ସମୟରେ ସନ୍ଦିଗ୍ଧର ପିସ୍ତଲ ତଳେ ଗଳିପଡ଼ିବା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସିସିଟିଭି ଫୁଟେଜ ମୁତାବକ, ବାଇକ ଚାଳକ ମୁଣ୍ଡରେ ହେଲମେଟ ପିନ୍ଧିଥିବା ବେଳେ, ମଝିରେ ବସିଥିବା ଯୁବକ ଜଣକ ମୁହଁରେ ମାସ୍କ ଲଗାଇଥିଲା। ପ୍ରଥମ ୩ ସନ୍ଦିଗ୍ଦଙ୍କ ନାମ ଅବ୍ଦୁ ଉସାମା, ନାବିଦ ଜାଟ୍‌ ଓ ମେହରାଜୁଦ୍ଦିନ ବଙ୍ଗାରୁ ବୋଲି ଜଣାପଡ଼ିଛି । ଆଜି ସୁଜାତ୍‌ଙ୍କ ଶେଷଯାତ୍ରାରେ ହଜାର ହଜାର ଜନତା ସାମିଲ ହୋଇଥିଲେ। ବାରମୁଳାସ୍ଥିତ ତାଙ୍କ ପୈତୃକ ଗାଁ କ୍ରେରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ସମ୍ବନ୍ଧିତ ଖବର