ଫାଟିଗଲା ଚକ, ବିମାନକୁ ପେଲିଲେ ଯାତ୍ରୀ: ଦେଖନ୍ତୁ ଭିଡିଓ 

ନୂଆଦିଲ୍ଲୀ: ଆପଣମାନେ ଅନେକ ଥର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚାରି ଚକିଆ ଯାନ ବା ବସ ଓ ଟ୍ରକ ଲୋକ ପେଲୁଥିବାର ଦେଖିଥିବେ |ହେଲେ କେବେ ବିମାନକୁ ପେଲାଯାଉଥିବାର ଦେଖିଛନ୍ତି କି? ବୋଧେ ଏଭଳି ଦୃଶ୍ୟ ଦେଖିନଥିବେ | ତେବେ ବର୍ତ୍ତମାନ ନେପାଳରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯେତେବେଳେ ବିମାନର ଯାତ୍ରୀମାନେ ବିମାନକୁ ରନ ୱେ ରେ ପେଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ବିମାନକୁ ରନୱେରେ ଠେଲୁଛନ୍ତି |

ଏହି ଭିଡିଓଟି ନେପାଳର ବାଜୁରା ବିମାନବନ୍ଦରରେ ଦେଖିବାକୁ ମିଳିଛି | ବିମାନଟି ତାରା ଏୟାରଲାଇନ୍ସର ହୋଇଥିବାବେଳେ କମ୍ପାନୀର ମୁଖପାତ୍ର ସୁରେନ୍ଦ୍ର ବରତୋଲା କହିଛନ୍ତି ଯେ ୯ଏନ ଏଭିଇ ବିମାନ ହୁମଲାର ସିମକୋଟରୁ ବାଜୁରା ଅଭିମୁଖେ ଉଡାଣ କରିଥିଲା | ବିମାନଟି ରନ ୱେରେ ଅବତରଣ କରିବାବେଳେ ଏହାର ପଛ ଟାୟାର ଫାଟି ଯାଇଥିଲା ଏବଂ ବିମାନଟି ରନୱେ ମଝିରେ ଅଟକି ରହିଥିଲା |


ଏହା ପରେ ଯାତ୍ରୀ ଏବଂ ସୁରକ୍ଷାକର୍ମୀମାନେ ପେଲି ପେଲି ରନ ୱେ କଡ଼କୁ ନେଇଥିଲେ | ଏଭଳି ସ୍ଥିତିରେ ସମ୍ମିଟ୍ ଏୟାରଲାଇନ୍ସ ଏବଂ ତାରା  ଏୟାରଲାଇନ୍ସର ବିମାନଗୁଡ଼ିକ ଅନେକ ସମୟ ଧରି ଛିଡା ହୋଇରହିଥିଲା | ନେପାଳଗଞ୍ଜରୁ ତାରା ଏୟାରଲାଇନ୍ସର ଅନ୍ୟ ଏକ ବିମାନରେ ଇଞ୍ଜିନିୟରମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ | ଏହା ପରେ ସେମାନେ ନୂଆ ଟାୟାର ଲଗାଇ ବିମାନର ସ୍ଥିତି ଯାଞ୍ଚ କରିବା ପରେ ବିମାନ ପୁଣି ଉଡାଣ କରିଥିଲା |

ସମ୍ବନ୍ଧିତ ଖବର