ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇଛି ବାତ୍ୟା, ୪ ତାରିଖ ସକାଳେ ସ୍ଥଳଭାଗ ଛୁଇଁବା ସମ୍ଭାବନା : ଆଇଏମଡି

ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : ଏସଆରସି

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ଜଓ୍ବାଦ ଉତ୍ତର-ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ-ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ପରେ ବାତ୍ୟା ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଆଞ୍ଚଳିକ ପାଣିପାଗ ବିଭାଗର ସଂଧ୍ୟା ବୁଲେଟିନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ରାତି ସୁଦ୍ଧା ଏକ ଡିପ୍ରେସନରେ ପରିଣତ ହେବ । ଆସନ୍ତା ୨୪ ଘଣ୍ଟାରେ ଏହା ଏକ ବାତ୍ୟା ରୂପ ନେଇ ୪ ଡିସେମ୍ବର ସକାଳେ ଉତ୍ତର-ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ-ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ । ଏହା ପରେ ବାତ୍ୟା ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଓଡ଼ିଶାର ୪ଟି ଜିଲ୍ଲା ଗଜପତି, ଗଞ୍ଜାମ, ଜଗତସିଂହପୁର ଓ ପୁରୀରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ । ଏସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି । ସେହିପରି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼,କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି ।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଜଓ୍ବାଦ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ସେ କହିଛନ୍ତି ଯେ ଏହା ବାତ୍ୟା ପାଇଁ ରାଜ୍ୟର ୧୪ଟି ଜିଲ୍ଲାକୁ ସତର୍କ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ରହିଛନ୍ତି । ଆଜି ରାତି ସୁଦ୍ଧା ସମୁଦ୍ରରୁ ଫେରିଆସିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ କାଲି ସକାଳ ସୁଦ୍ଧା ଫେରିଆସିବେ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ,  ଅମଳ ଶସ୍ୟ ରକ୍ଷଣାବେକ୍ଷଣ ଓ ଯେତିକି ଅମଳ କରିହେବ,ଓ ଯେଉଁଠି ଅମଳ କରିହେବ ନାହିଁ ସେଠି ଜଳ ନିଷ୍କାସନ ବ୍ୟବସ୍ଥା ସୁଧରୁଢ଼ କରିବା ପାଇଁ ପରାମର୍ଶ ଜାରି କରାଯାଇଛି । ଲାଉଡସ୍ପିକର ମାଧ୍ୟମରେ ଚାଷୀଙ୍କୁ ସତର୍କ କରାଯାଉଛି । ଗତକାଲି ଓଡ୍ରାଫ, ଏନଡିଆରଏ ଓ ଅଗ୍ନିଶମ ଅଧିକାରୀ ଙ୍କ ସହ ଆଲୋଚନା କରିଛୁ । ଦକ୍ଷିଣ ଉପକୂଳ ଜିଲ୍ଲାରେ ଅଧିକ ପ୍ରଭାବ ଥିବାରୁ ସର୍ବମୋଟ ୬୦ ଓଡ୍ରାଫ, ୩୪ ଏନଡିଆରଏଫ ,୧୭୨ଟି ଅଗ୍ନିଶମ ଟିମକୁ ମିଶାଇ ସର୍ବମୋଟ ୨୬୬ ଟି ଟିମ ପ୍ରସ୍ତୁତ କରାଯାଇଛି ।  ବର୍ତ୍ତମାନ ସୁଦ୍ଧା ୨୨୫ ଟିମ ମୁତୟନ ହୋଇସାରିଛନ୍ତି ଓ ଆଉ ୫୧ ଟି ଟିମ ହାତରେ ଅଛି ।

 

ସମ୍ବନ୍ଧିତ ଖବର