ଦଳକୁ ଗୋଟିଏ ବି ଆସନ ନମିିଳିବା କାରଣରୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇପାରନ୍ତି ପଶୁପତି ପାରସ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇପାରନ୍ତି । ବିହାରରେ ଆସନ ବୁଝାମଣା ହୋଇଛି । ହେଲେ ତାଙ୍କ ଦଳକୁ ଗୋଟିଏ ବି ଆସନ ମିଳିନାହିଁ । ତେଣୁ ସେ ଏନଡିଏ ଛାଡିବା ସହିତ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି । ବିହାରରେ ବିଜେପି ୧୭ଟି ଲୋକସଭା ଆସନ, ଜେଡିୟୁ ୧୬ଟି, ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଦଳ ୫ଟି, ଉପେନ୍ଦ୍ର କୁଶୱା ଏବଂ ଜୀତନରାମ ମାଂଝିଙ୍କ ଦଳ ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ହେଲେ ପଶୁପତିଙ୍କ ଦଳକୁ ଗୋଟିଏ ବି ଆସନ ମିଳିନାହିଁ । ଏହାକୁ ନେଇ ସେ ଅସନ୍ତୋଷ ଅଛନ୍ତି ।

ପଶୁପତି କହିଛନ୍ତି, ସେ ମୋଦୀଙ୍କୁ ସମ୍ମାନ କରନ୍ତି । ୨୦୧୪ ଠାରୁ ତାଙ୍କ ଦଳ ଏନଡିଏରେ ରହିଛି । ହେଲେ ଏବେ ଗୋଟିଏ ବି ଆସନ ନମିଳିବା ଦୁଃଖଦାୟକ । ହାଜିପୁର ଆସନରେ ପଶୁପତି ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି । ଯେଉଁଠୁ ସେ ଏବେ ସାଂସଦ ଅଛନ୍ତି । ହେଲେ ଏହି ଆସନ ତାଙ୍କ ପୁତୁରା ଚିରାଗଙ୍କୁ ଦିଆଯାଇଥିବା ଜଣାପଡିଛି । ଯିଏକି ତାଙ୍କର ଅନ୍ୟତମ ବିଦ୍ରୋହୀ । ତେଣୁ ପଶୁପତି ଏନଡିଏ ଛାଡିବେ ବୋଲି କୁହାଯାଉଛି । ଏହି ଆସନରୁ ରାମବିଳାଶ ପାଶୱାନ ନିର୍ବାଚନ ଲଢୁଥିଲେ । ପରେ ତାଙ୍କ ସାନ ଭାଇ ପଶୁପତି ଏହି ଆସନରୁ ସାଂସଦ ଅଛନ୍ତି । ଅନ୍ୟପଟେ ତାଙ୍କୁ ମନାଇବାକୁ ବିଜେପି ସମସ୍ତ ପ୍ରକାର ପ୍ରୟାସ କରିଛି ହେଲେ ଏହା ସଫଳ ହୋଇନଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପଶୁପତିଙ୍କୁ ରାଜ୍ୟପାଳ ପଦ ପାଇଁ ଅଫର କରାଯାଇଛି । ହେଲେ ସେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ।

ସମ୍ବନ୍ଧିତ ଖବର