ବର୍ଲିନ୍‌ରେ ଛୋଟ ବାଳିକାଠାରୁ ସୁନ୍ଦର ଉପହାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ବର୍ଲିନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଛୋଟ ବାଳିକାଠାରୁ ସୁନ୍ଦର ଉପହାରଟିଏ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଉକ୍ତ ଉପହାର ଗ୍ରହଣ କରୁଥିବା ସମୟର ଯେଉଁ  ଭିଡିଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍‌ ଟୁଇଟ୍‌ କରିଛନ୍ତି ତାହା ଦ୍ରୁତ ଗତିରେ ଭାଇରାଲ୍‌ ହୋଇଚାଲିଛି।

ତିନିଦିନିଆ ୟୁ‌ରୋପ୍‌ ଗସ୍ତରେ ଯାଇ ଆଜି ସକାଳେ ଜର୍ମାନିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ନବ ନିଯୁକ୍ତ ଚାନ୍‌ସେଲର୍‌ ଓଲାଫ୍ ସୋଲ୍‌ଜ୍‌ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ।  ଏହାପରେ ବର୍ଲିନ୍‌ସ୍ଥିତ ହୋଟେଲ୍‌ ଆଡ୍‌ଲନ୍‌ କେମ୍ପିନ୍‌ସ୍କିରେ ଭାରତୀୟ ବଂଶୋଦ୍ଭବମାନେ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ସ୍ବାଗତ କରିଥିଲେ। ସେମାନଙ୍କ ମଧ୍ୟରେ ଥିବା ଛୋଟ ଝିଅଟିଏ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୁନ୍ଦର ଉପହାରଟିଏ ଦେଇଥିଲା।

ସେ ଉପହାରଟି ହେଉଛି ଝିଅଟି ପେନ୍‌ସିଲ୍‌-ସ୍କେଚ୍‌ କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକୃତି। ଉପହାରଟି ଗ୍ରହଣ କରି ପ୍ରଧାନମନ୍ତ୍ରୀ ଆନନ୍ଦରେ ଗଦ୍‌ଗଦ୍‌ ହୋଇ ସାନ ଝିଅଟିକୁ ପ୍ରତିକୃତି ବିଷୟରେ କେତେ କଥା ପଚାରିଥିଲେ।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ଝିଅଟିର ନାଁ ମାୟା। ସେ କହିଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଭାରି ଉତ୍‌ଫୁଲ୍ଲିତ ହେଲି। ସେ ମୋର ଆଦର୍ଶ। ମୁଁ ଅଙ୍କନ କରିଥିବା ଚିତ୍ରରେ ସେ ସ୍ବାକ୍ଷର କରି ମତେ ‘ସାବାସ୍‌’ କହିଲେ।

ସମ୍ବନ୍ଧିତ ଖବର