ଟ୍ରମ୍ଫଙ୍କ ‘ଏୟାରଫୋର୍ସ ୱାନ୍’କୁ ଟକ୍କର ଦେବ କି ମୋଦୀଙ୍କ ୧୨୦୦କୋଟି ଟଙ୍କାର ‘ଏୟାର ଇଣ୍ଡିଆ ୱାନ୍’ ? ଜାଣନ୍ତୁ ଏଥିରେ ରହିଛି କେଉଁ ସବୁ ସୁବିଧା

ନୂଆଦିଲ୍ଲୀ: ଟ୍ରମ୍ଫଙ୍କ ‘ଏୟାରଫୋର୍ସ ୱାନ୍’କୁ ଟକ୍କର ଦେବ ମୋଦୀଙ୍କ ‘ଏୟାର ଇଣ୍ଡିଆ ୱାନ୍’ | ଖୁବ ଶୀଘ୍ର ଭାରତକୁ ଆସିବ ୧୨୦୦କୋଟି ଟଙ୍କାର ‘ଏୟାର ଇଣ୍ଡିଆ ୱାନ୍’ ବିମାନ | ଏହି ବିମାନର ବ୍ୟବହାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଭାରତର ଅନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି | ଚଳିତ ବର୍ଷ ଜୁଲାଇରେ ଭାରତ ବୋଇଙ୍ଗ ୭୭୭-୩୦୦ଇଆର ବିମାନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବିମାନର ନାମ ‘ଏୟାର ଇଣ୍ଡିଆ ୱାନ୍’ ରଖାଯାଇଛି | କୁହାଯାଉଛି ଯେ, ଚଳିତ ବର୍ଷ ସେପ୍ଟେମ୍ବରରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଏହାକୁ ବ୍ୟବହାର କରିବା ଆରମ୍ଭ କରିବେ। ଏହି ବିମାନରେ ଏଭଳି ପ୍ରତିରକ୍ଷା ଉପକରଣକୁ ଖଞ୍ଜା ଯାଇଛି, ଯାହାଦ୍ୱାରା ବିମାନଟି ଯେ କୌଣସି କ୍ଷେପଣାସ୍ତ୍ରର ଆକ୍ରମଣକୁ ପ୍ରତିହତ କରିପାରିବ।

ବର୍ତ୍ତମାନ ଭାରତରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ବିଦେଶ ଯାତ୍ରା ପାଇଁ ବୋଇଙ୍ଗ ୭୪୭ ବିମାନ ବ୍ୟବହାର କରୁଥିବା ବେଳେ ଏବେ ସେହି ବିମାନ ସ୍ଥାନରେ ବୋଇଙ୍ଗ ୭୭୭-୩୦୦ଇଆରକୁ ବ୍ୟବହାର କରାଯିବ | ମିଳିଥିବା ସୂଚନା ମୁତାବକ, ବୋଇଙ୍ଗ ୭୭୭-୩୦୦ଇଆର ଉନ୍ନତ ପ୍ରତିରକ୍ଷା ବ୍ୟବସ୍ଥା ଲଗାଯାଇଛି | ପୂର୍ବରୁ ବୋଇଙ୍ଗ ୭୪୭ ବିମାନକୁ ଏୟାର ଇଣ୍ଡିଆର ଅଧିକାଂଶ ବରିଷ୍ଠ ପାଇଲଟ୍ ଉଡାଉଥିବା ବେଳେ ଏବେ ବୋଇଙ୍ଗ ୭୭୭-୩୦୦ଇଆରକୁ ବାୟୁସେନାର ପାଇଲଟମାନେ ଉଡ଼ାଇବେ |

businessinsider

ଆମେରିକୀୟ କମ୍ପାନୀ ବୋଇଙ୍ଗ ଦ୍ୱାରା ଏୟାର ଇଣ୍ଡିଆ ୱାନ ପ୍ରସ୍ତୁତ ହୋଇଥିବା ବେଳେ ଏହାର ମୂଲ୍ୟ ୧୨୦୦ କୋଟି ରହିଛି। କୁହାଯାଉଛି ଯେ, ଏହି ବିମାନଟି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଏୟାରଫୋର୍ସ ୱାନ୍’ ଭଳି ଢ଼ାଞ୍ଚାରେ ନିର୍ମିତ, ଯାହା ବିଶ୍ୱର ସବୁଠାରୁ ସୁରକ୍ଷିତ ବିମାନ ଭାବରେ ଜଣାଯାଏ। ଯୁକ୍ତରାଷ୍ଟ୍ରରେ ‘ଏୟାରଫୋର୍ସ ୱାନ୍’ ଭାବରେ ଦୁଇଟି ବିମାନ ରହିଛି, ଯାହାକୁ ଆମେରିକାର ରାଷ୍ଟ୍ରପତି ବ୍ୟବହାର କରିଥାନ୍ତି |

ଖବର ଅନୁଯାୟୀ, ଏଥିରେ ଉନ୍ନତ ପ୍ରତିରକ୍ଷା ବ୍ୟବସ୍ଥା ରହିବା ସହ ପୁନଃ-ବିନ୍ୟାସିତ କ୍ୟାବିନ ମଧ୍ୟ ଅଛି। କୂଟନୈତିକ ଅଧିକାରୀଙ୍କ ସୁରକ୍ଷା ପାଇଁ ଏହି ବିମାନକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ, ଏୟାରକ୍ରାଫ୍ଟ ଇନଫ୍ରାରେଡ କାଉଣ୍ଟର ବ୍ୟବସ୍ଥା ଓ ଆତ୍ମରକ୍ଷା କୋଠରୀ ସହିତ ତିଆରି କରାଯାଇଛି। ଯାହାଦ୍ୱାରା ଏହି ବିମାନ କୌଣସି ପ୍ରକାରର ଆକ୍ରମଣର ଜବାବ ଦେଇ ପାରିବ | ଦେଶର ବଡ଼ ବଡ ନେତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ଭାରତକୁ ଅଣାଯାଉଥିବା ଜଣାପଡିଛି |

ସମ୍ବନ୍ଧିତ ଖବର