ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବା ଲାଗି ସୋମବାର ସନ୍ଧ୍ୟାରେ ଜାପାନ ଯାତ୍ରା କରିଛନ୍ତି। ଏହି ଅବସରରେ ଆକାସାକା ପ୍ୟାଲେସରେ ତାଙ୍କ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ମୋଦୀ ମଧ୍ୟ ତାଙ୍କର ଜାପାନୀ ପ୍ରତିପକ୍ଷ ଫୁମିଓ କିସିଦାଙ୍କ ସହ ଦ୍ବାପାକ୍ଷିକ ଆଲୋଚନାରେ ଭାଗ ନେବେ। ପ୍ରଧାନମନ୍ତ୍ରୀ ତାଙ୍କର ଜାପାନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ବିଟ୍ କରିଛନ୍ତି ଯେ, ସେ ଆବେଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିରେ ଭାଗ ନେବେ। ଆବେ ତାଙ୍କର ଜଣେ ଭଲ ବନ୍ଧୁ ଥିଲେ। ଭାରତ-ଜାପାନ ବନ୍ଧୁତାକୁ ସେ ଆଗକୁ ବଢ଼ାଇଥିଲେ। ଆବେଙ୍କ ନିଧନରେ ସେ ଅତ୍ୟନ୍ତ ମର୍ମାହତ। ପ୍ରଧାନମନ୍ତ୍ରୀ କିସିଦା ଏବଂ ଶ୍ରୀମତୀ ଆବେଙ୍କୁ ସେ ଆନ୍ତରିକ ସମବେଦନା ଜଣାଇବେ। ଦୁଇଦେଶର ବନ୍ଧୁତାକୁ ଆହୁରି ବଳିଷ୍ଠ କରିବା ନିମନ୍ତେ ସେ ବର୍ତ୍ତମାନର ଜାପାନୀ ନେତାମାନଙ୍କ ସହ ମିଶି କାମ କରିବେ। ସୂଚନାଯୋଗ୍ୟ ଜାପାନକୁ ସୁଦୀର୍ଘକାଳ ଶାସନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ଗତ ଜୁଲାଇ ୮ ତାରିଖରେ ଏକ ନିର୍ବାଚନୀ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ଜଣେ ଆତତାୟୀଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଥିଲା। ଏହି ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି ରାଣୀ ଏଲିଜାବେଥ୍-୨ୟଙ୍କଠାରୁ ବି ବଡ଼ ଆକାରରେ ହେବ ବୋଲି କୁହାଯାଉଛି। ଏଥିରେ ୧୦୦ରୁ ଅଧିକ ଦେଶର ପ୍ରତିନିଧି ଏବଂ ଅନ୍ତତଃ ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଯୋଗ ଦେବାର ସମ୍ଭାବନା ଅଛି। ମଙ୍ଗଳବାର ସ୍ଥାନୀୟ ସମୟ ଅପରାହ୍ଣ ୨ଟାରେ କେନ୍ଦ୍ରୀୟ ଟୋକିଓର ନିପନ ବୁଦୋକାନଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ହେଉଛି କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ଦ୍ବିତୀୟ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି।

ସମ୍ବନ୍ଧିତ ଖବର