ଶିକ୍ଷକଙ୍କ ଶୃଙ୍ଖଳା ଅଭାବ: ମୁଖ୍ୟମନ୍ତ୍ରୀଙ୍କ ଭୋଜିରେ ଖାଇବା ପାଇଁ ଧସ୍ତାଧସ୍ତି ହେଲେ ଶିକ୍ଷକ

ଚଣ୍ଡୀଗଡ଼: ପିଲାମାନଙ୍କୁ କେବଳ ପାଠ ପଢ଼ାଇବା ଶିକ୍ଷକମାନଙ୍କର ଦାୟିତ୍ୱ ହୋଇନଥାଏ ବରଂ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା ଜ୍ଞାନ ସହ ନିୟମ ପାଳନ ଶିଖାଇବା ମଧ୍ୟ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ଉପରେ ନ୍ୟସ୍ତ ଥାଏ | କିନ୍ତୁ ଶିକ୍ଷକମାନେ ଯେତେବେଳେ ନିଜେ ଶୃଙ୍ଖଳାକୁ ଅନୁସରଣ କରିବେ ନାହିଁ, ତେବେ ତ କଥା ସରିଲା | ପଞ୍ଜାବରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେଉଁଠାରେ ଶିକ୍ଷକମାନେ ପରସ୍ପର ସହ ଧସ୍ତାଧସ୍ତି ହୋଇଛନ୍ତି | ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି |

ମିଳିଥିବା ସୂଚନା ମୁତାବକ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବିଦ୍ୟାଳୟ ଶିକ୍ଷାର ଉନ୍ନତି ସଂପର୍କରେ ଏହି ବୈଠକ କରିଥିଲେ। ଏହି ବୈଠକରେ ସରକାରୀ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନଶିକ୍ଷକମାନଙ୍କୁ ଡକାଯାଇଥିଲା | ପଞ୍ଜାବର ଏକ ନାମିଦାମୀ ହୋଟେଲରେ ଏହି ବୈଠକର ଆୟୋଜନ କରାଯାଇଥିବାବେଳେ ଶିକ୍ଷକମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଶୀତତାପ ନିୟନ୍ତ୍ରିତ ବସର ବ୍ୟବସ୍ଥା ମଧ୍ୟ କରିଥିଲେ | ତେବେ ବୈଠକ ସରିବା ପରେ ଯେତେବେଳେ ଭୋଜନ ପରସା ଯାଇଥିଲା ସେତେବେଳେ ଶିକ୍ଷକମାନେ ବିଶୃଙ୍ଖଳିତ ହୋଇଯାଇଥିଲେ |


ଶିକ୍ଷକମାନେ ପ୍ଲେଟ ନେବାକୁ ଝଗଡା କରିବା ସହ କେହି କାହାରିକୁ ଛାଡ଼ିନଥିଲେ | ଧାଡି ବାନ୍ଧି ପ୍ଲେଟ ନେବା ଅପେକ୍ଷା ଜୋରଜବରଦସ୍ତ ଭାବେ ପ୍ଲେଟ ନେବାକୁ ସମସ୍ତେ ଲାଗିପଡ଼ିଥିଲେ | ରାଜ୍ୟ ଶିକ୍ଷା ମନ୍ତ୍ରୀ ଗୁରୁମିତ ସିଂ କହିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଶିକ୍ଷକଙ୍କ ପରାମର୍ଶ ଜାଣିବା ପାଇଁ ଏହି ବୈଠକ ଡକାଯାଇଥିଲା ।

ସମ୍ବନ୍ଧିତ ଖବର