ଅହମଦାବାଦ୍‌ କୋର୍ଟରେ ହାଜର ହେଲେ ରାହୁଲ, ମାନହାନି ମାମଲାରେ ଜାମିନ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ଅହମଦାବାଦ୍‌ ବ୍ୟାଙ୍କ୍‌ ମାନହାନି ମାମଲାରେ ଜାମିନ ମଂଜୁର ହୋଇଛି। ଅହମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କ୍‌ ଏବଂ ଏହାର ଅଧ୍ୟକ୍ଷ ଅଜୟ ପଟେଲ ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ। ଆଜି ଏହି ମାମଲାର ଶୁଣ‌ାଣି ସମୟ‌ରେ ରାହୁଲ ଅହମଦାବାଦ୍‌ ମେ‌ଟ୍ରୋପଲିଟାନ୍‌ କୋର୍ଟରେ ଉପସ୍ଥିତ ଥିଲେ। ରାହ‌ୁଲ ତାଙ୍କ ଦୋଷ ସ୍ବୀକାର କରିପାରିବେ କି ବୋଲି କୋର୍ଟ ପ୍ରଶ୍ନ କରିବାପରେ ରାହୁଲ କହିଥିଲେ, ମୁଁ ଅପରାଧୀ ନୁ‌ହେଁ। ପରେ କୋର୍ଟ ରାହୁଲଙ୍କୁ ୧୫,୦୦୦ ଟଙ୍କା ବଣ୍ଡ୍‌ରେ ଜାମିନ ମଂଜୁର କରିଥିଲେ। ରାହୁଲ ଏବଂ କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁର୍ଯ୍ୟେୱାଲା ଗତବର୍ଷ ଦାବି କରିଥିଲେ ଯେ ଅହମଦାବାଦ୍‌ ଜିଲ୍ଲା ସମବାୟ ବ୍ୟାଙ୍କ୍‌ ବିମୁଦ୍ରୀକରଣ ଘୋଷଣାର ୫ ଦିନ ମଧ୍ୟରେ ୭୪୫.୫୯ କୋଟି ଟଙ୍କାର ଅଚଳ ନୋଟ୍‌କୁ ବଦଳାଇ ଥିଲା ଏବଂ ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା। ଏହାପରେ ବ୍ୟାଙ୍କ୍‌ ପକ୍ଷରୁ ମାନହାନି ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର