ଲୋକଙ୍କ ପାଖରେ ପହଞ୍ଚ, ସଂଗଠନ ବଢ଼ାଅ: ପ୍ରଧାନମନ୍ତ୍ରୀ

ବୈଠକ ପରେ ସାଂସଦଙ୍କ ମାପିଚୂପି ସୂଚନା, ଯୋଗଦେଲେ ଓଡ଼ିଶାର ୩ ମନ୍ତ୍ରୀ ଓ ସମସ୍ତ ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭ ଲୋକ କଲ୍ୟାଣମାର୍ଗସ୍ଥିତ ସରକାରୀ ବାସଭବନରେ ଆଜି ଓଡ଼ିଶା ସମେତ ଦିଲ୍ଲୀ, ହରିୟାଣା, ଉତ୍ତରାଖଣ୍ଡର ବିଜେପି ସାଂସଦମାନେ ଯୋଗ ଦେଇଥିଲେ। ବୈଠକ ସକାଳ ୮.୩୦ ରୁ ଆରମ୍ଭ ହୋଇ ୯.୩୦ ରେ ଶେଷ ହୋଇଥିଲା। ଓଡ଼ିଶା ବିଜେପିର ସମସ୍ତ ସାଂସଦ ଏଥିରେ ଯୋଗ ଦେଇଥିଲେ। ରାଜନୈତିକ ମହଲରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ କିଛି ସାଂସଦ ବୈଠକ ସୌଜନ୍ୟମୂଳକ ଥିଲା ବୋଲି କହି ବିଶେଷ କିଛି ମତବ୍ୟକ୍ତ କରିନାହାନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଦୁଇଦିନ ତଳେ ସାକ୍ଷାତ କରିଥିବା ବିଜେପି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜିର ବୈଠକ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଅନ୍ୟ ପକ୍ଷରେ ସାଂସଦ ନିତେଶ ଗଙ୍ଗଦେବ ପ୍ରଧାନମନ୍ତ୍ରୀଙ୍କ ସହିତ ଭେଟଘାଟ ସୌଜନ୍ୟମୂଳକ ଥିଲା ବୋଲି କହିଛନ୍ତି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ସାଂସଦ ବସନ୍ତ କୁମାର ପଣ୍ଡା ମାପିଚୁପି ବୈଠକ ସମ୍ପର୍କରେ କହିଛନ୍ତି। ଶ୍ରୀ ପଣ୍ଡାଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକମାନଙ୍କୁ ଅବଗତ କରିବା ସହିତ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ ପରିପେକ୍ଷୀରେ ହୋଇନଥିଲା। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ସାକ୍ଷାତ କରିଥାନ୍ତି। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଦଳକୁ ଆଗାମୀ ଦିନରେ କିଭଳି ସୁଦୃଢ଼ କରାଯାଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ମାର୍ଗଦର୍ଶନ କରିଥିଲେ।। ସାଂସଦମାନଙ୍କ ଭୂମିକା କଣ ହେବା ଦରକାର ସେ ନେଇ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ବୁଝାଇଥିଲେ। ଚାରି ରାଜ୍ୟର ସାଂସଦମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମନଖୋଲା ଆଲୋଚନା ହୋଇଥିଲା ଓ ଏହା ସାଂସଦମାନଙ୍କୁ ଉତ୍ସାହିତ କରିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ବୈଠକ ପରେ ସାଂସଦଙ୍କ ମାପିଚୂପି ସୂଚନା
ଓଡ଼ିଶା ସହ ୪ ରାଜ୍ୟର ସାଂସଦଙ୍କୁ ଭେଟିଲେ ମୋଦୀ
ଯୋଗଦେଲେ ଓଡ଼ିଶାର ୩ ମନ୍ତ୍ରୀ ଓ ସମସ୍ତ ସାଂସଦ

ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ବୈଠକ ସାଂସଦମାନଙ୍କ ନୈତିକ ଶକ୍ତି ବଢ଼ାଇବା ସହ ପ୍ରେରିତ କରିବ ବୋଲି କିଛି ସାଂସଦ କହିଛନ୍ତି। ସଂଗଠନ ବାବଦରେ ଆଲୋଚନା କଲା ବେଳେ ପ୍ରଧାନମନ୍ତ୍ରୀ କେନ୍ଦ୍ର ରା‌ଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ସାଂସଦ ଅପରାଜିତାଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି। ଶ୍ରୀ ଟୁଡ଼ୁ ତାଙ୍କର ଆଗାମୀ କାର୍ଯ୍ୟ ଯୋଜନା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ। ସାଂସଦମାନେ ଲୋକମାନଙ୍କ ସହ କିପରି ସଂଯୋଗରେ ରହିବେ ସେ ନେଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିବା ସାଂସଦ ସୁରେଶ ପୂଜାରୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ବିକାଶର ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ବଜେଟ୍‌ ଅଧିବେଶନ ପରେ ସାଂସଦମାନଙ୍କର ଆଗାମୀ କାର୍ଯ୍ୟ ଯୋଜନା ସଂପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ। ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ସମେତ ୪ ରାଜ୍ୟର ବିଜେପି ସାଂସଦମାନଙ୍କୁ କହିଛନ୍ତି। ନିକଟରେ ଓଡ଼ିଶାରେ ହୋଇଥିବା ପଂଚାୟତ ଓ ପୌର ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରର୍ଦଶନ ପରେ ରାଜ୍ୟ ବିଜେପି ପଦାଧିକାରୀ ବିଜେପି ଜାତୀୟ ସଭାପତିଙ୍କୁ ସାକ୍ଷାତ କରିବା, ରାଜ୍ୟର ୨୦ ବିଧାୟକ କେନ୍ଦ୍ରମନ୍ତ୍ରୀମାନଙ୍କୁ ସାକ୍ଷାତ କରିବା ତଥା ୨୦୨୪ ସାଧାରଣ ନିର୍ବାଚନ ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ପ୍ରାତଃଭୋଜନ ବୈଠକ ଡାକି ସମସ୍ତ ସାଂସଦଙ୍କ ସହ ଆଲୋଚନା କରିବା ବିଶେଷ ଗୁରୁତ୍ବ ବହନ କରୁଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତପ୍ରକାଶ କରିଛନ୍ତି। ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ବି‌ଜେପିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ଯୋଗଦେଇଥିଲେ। ରାଜ୍ୟସଭା ସଦସ୍ୟା ସୋନାଲ ମାନସିଂହ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର