ଜାଣନ୍ତୁ ବଜେଟକୁ ନେଇ କିଏ କ’ଣ କହିଲେ…

୧୦୦ ବର୍ଷ ବିଶ୍ୱାସର ବଜେଟ୍‌: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : କେନ୍ଦ୍ର ବଜେଟ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦ ବର୍ଷର ବିଶ୍ବାସର ବଜେଟ୍‌ ବୋଲି କହିଛନ୍ତି। ୧୦୦ ବର୍ଷରେ ସବୁଠାରୁ ବଡ଼ ବିପର୍ଯ୍ୟୟ କରୋନା ଭାଇରସ୍ ବୈଶ୍ବିକ ମହାମାରୀ ମଧ୍ୟରେ ଏହି ବଜେଟ୍‌ ବିକାଶର ନୂତନ ଆତ୍ମବିଶ୍ୱାସ ଆଣିଛି। ଏହି ବଜେଟ୍ ଅର୍ଥନୀତିକୁ ମଜବୁତ କରିବା ସହିତ ସାଧାରଣ ଜନତାଙ୍କ ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି କରିବ। ବଜେଟରେ ଗରିବଙ୍କ କଲ୍ୟାଣ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ପ୍ରତ୍ୟେକ ଗରିବ ଲୋକଙ୍କର ଏକ ପକ୍କା ଘର, ଟ୍ୟାପରୁ ପାଣି, ଶୌଚାଳୟ, ଗ୍ୟାସ ସୁବିଧା ରହିବା ଉଚିତ୍ ଏବଂ ବଜେଟ୍‌ରେ ଏସବୁକୁ ବିଶେଷ ଧ୍ୟାନ ଦିଆଯାଇଛି। ଏହା ସହିତ ଆଧୁନିକ ଇଣ୍ଟରନେଟ୍ ସଂଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହି ବଜେଟ୍ ଅଧିକ ଭିତ୍ତିଭୂମି, ଅଧିକ ବିନିଯୋଗ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ଚାକିରିର ନୂତନ ସମ୍ଭାବନାରେ ପରିପୂର୍ଣ୍ଣ। ଦେଶରେ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବ ଅଂଚଳରେ ପର୍ବତମାଳା ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନା ପାହାଡ଼ ଉପରେ ଏକ ଆଧୁନିକ ପରିବହନ ବ୍ୟବସ୍ଥା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ୨.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଘୋଷଣା କରାଯାଇଥିବା ଏମ୍‌ଏସ୍‌ପି ସିଧାସଳଖ ଚାଷୀଙ୍କୁ ହସ୍ତାନ୍ତର କରାଯିବ। କୃଷକଙ୍କ ଆୟ ଦ୍ୱିଗୁଣିତ ହେବ। ବଜେଟରେ ଏମଏସଏମଇ ଏବଂ ଅନେକ ନୂତନ ଯୋଜନା ପାଇଁ କ୍ରେଡିଟ ଗ୍ୟାରେଣ୍ଟି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବଜେଟରେ କ୍ରେଡିଟ୍ ଗ୍ୟାରେଣ୍ଟିରେ ରେକର୍ଡ ବୃଦ୍ଧି ସହିତ ଅନ୍ୟାନ୍ୟ ଯୋଜନା ଘୋଷଣା କରାଯାଇଛି। ଘରୋଇ ଶିଳ୍ପ ପାଇଁ ପ୍ରତିରକ୍ଷା ପୁଞ୍ଜି ବଜେଟର ୬୮ ପ୍ରତିଶତ ସଂରକ୍ଷଣ କରି ଭାରତର ଏମଏସଏମଇ କ୍ଷେତ୍ରରେ ବଡ଼ ଲାଭ ପାଇବ। ଭାରତର କୋଟି କୋଟି ଲୋକଙ୍କ ଆସ୍ଥା ଗଙ୍ଗା ନଦୀର ସଫେଇ ଦିଗରେ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି । ଦେଶର କୃଷକଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପାଞ୍ଚଟି ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଗଙ୍ଗା ନଦୀ ତଟରେ ପ୍ରାକୃତିକ ଚାଷକୁ ଉତ୍ସାହିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଫମ୍ପା ବଜେଟ୍‌: ରାହୁଲ
ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଉପସ୍ଥାପିତ ବଜେଟ୍‌କୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ଫମ୍ପା ବଜେଟ୍‌ ବୋଲି କହିଛନ୍ତି। ବେତନଭୋଗୀ, ମଧ୍ୟବିତ୍ତ ଶ୍ରେଣୀ, ଗରିବ, ଯୁବଗୋଷ୍ଠୀ ଏବଂ କୃଷକଙ୍କ ପାଇଁ ବଜେଟ୍‌ରେ କିଛି ନାହିଁ। ସେ ଟ୍ବିଟ୍‌ କରି କହିଛନ୍ତି, ଏହି ବଜେଟ୍‌ ମୋଦୀ ସରକାରଙ୍କ ଏକ ପମ୍ପା ବଜେଟ୍। ଟିକସ ବୋଝ ନେଇ ଲୋକେ ଅସୁବିଧାରେ ପଡ଼ୁଥିବା ବେଳେ ଟିକସ ଆଦାୟକୁ ହିଁ ମୋଦୀ ସରକାର ବଡ଼ ସଫଳତା ଭାବେ ଧରି ନେଇଛନ୍ତି। ଏହି ସରକାର କେବଳ ଲୋକଙ୍କର ସମ୍ପତ୍ତି ଦେଖିପାରୁଛି, କିନ୍ତୁ ଲୋକଙ୍କ ଯନ୍ତ୍ରଣା ଦେଖିପାରୁନି ବୋଲି ସେ କ୍ଷୋଭ ପ୍ରକାଶ କହିଛନ୍ତି।

ମଧ୍ୟବିତ୍ତ, ଗରିବଙ୍କ ପାଇଁ କିଛି ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : କେନ୍ଦ୍ର ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ମଧ୍ୟବିତ୍ତ ଓ ଗରିବ ଲୋକମାନଙ୍କ ପାଇଁ କିଛି ବ୍ୟବସ୍ଥା କରାଯାଇନାହିଁ। ବାଲି କହିଛନ୍ତି। ଡ଼ିଶାର ଦାବି ସମ୍ପର୍କରେ ବଜେଟ୍‌ରେ କିଛି ବ୍ୟବସ୍ଥା ନ ଥିବାରୁ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବଜେଟ୍‌ରେ କୃଷି, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ ପରି କ୍ଷେତ୍ରରେ କମ୍ ବ୍ୟୟବରାଦ କରାଯାଇଛି, ଯାହା କି ସମନ୍ବିତ ବିକାଶରେ ବାଧା ପହଞ୍ଚାଇବ। ମନରେଗାରେ କମ୍ ବ୍ୟୟବରାଦ ମହାମାରୀ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିପାରିବ ନାହିଁ। ଧାନ ଉଠାଇବାରେ ଏଫ୍‌ସିଆଇ ସମ୍ପର୍କିତ ଅନେକ ପ୍ରସଙ୍ଗ ଅସମାହିତ ହୋଇ ରହିଛି।

ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ଖାଦ୍ୟ ସବ୍‌ସିଡି କମାଇବା ଦ୍ବାରା ଚାଷୀଙ୍କୁ ଭୀଷଣ ସମସ୍ୟାରେ ପକାଇବ। ଏହାକୁ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି। ଦରବୃଦ୍ଧି ଓ ମୁଦ୍ରାସ୍ଫୀତି ଦ୍ବାରା ମଧ୍ୟବିତ୍ତ ଓ ଗରିବ ଲୋକମାନେ ଭୀଷଣ ପ୍ରଭାବିତ ହେଉଥିବା ବେଳେ ବଜେଟ୍‌ରେ ତାହାର ସମାଧାନ କରାଯାଇ ନାହିଁ। ଆହୁରି ମଧ୍ୟ ଏଲପ୍‌ଜି ସବ୍‌ସିଡି କମାଇ ଦିଆଯାଇଛି, ଯାହା ଦ୍ବାରା କି ପରିବାରର ଅର୍ଥନୀତି ପ୍ରଭାବିତ ହେବ ଓ ମହିଳାମାନେ ଏଲ୍‌ପିଜି ଦର ବୃଦ୍ଧିର ବୋଝ ବୋହିବେ।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ସେସ୍ ଓ ସର୍‌ଚାର୍ଜରେ କ୍ରମାଗତ ବୃଦ୍ଧି ହେବା ଦ୍ବାରା ରାଜ୍ୟର ଅଂଶ ପ୍ରଭାବିତ ହେଉଛି। କେନ୍ଦ୍ର ଟିକସର ୨୦ ପ୍ରତିଶତରୁ ଅଧିକ ସେସ୍ ଓ ସର୍‌ଚାର୍ଜ ମାଧ୍ୟମରେ ସଂଗ୍ରହ କରିବାକୁ ପ୍ରସ୍ତାବ ରହିଛି, ଯାହା କି ସହଯୋଗ ଭିତ୍ତିକ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ। ଓଡ଼ିଶା ମିଲେଟ୍ ମିସନ୍ ପୁଷ୍ଟି ସୁରକ୍ଷା ଓ ଚାଷୀଙ୍କ ରୋଜଗାର ବୃଦ୍ଧିରେ ‘ଗେମ୍ ଚେଞ୍ଜର୍’ ହୋଇପାରିଥିଲା। କେନ୍ଦ୍ର ସରକାର ବଜେଟ୍‌‌ରେ ମାଣ୍ଡିଆର ଗୁରୁତ୍ବକୁ ସ୍ବୀକୃତି ଦେଇଛନ୍ତି। ମିଳିତ ଜାତିସଂଘ ଦ୍ବାରା ୨୦୨୩କୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ଘୋଷଣା କରାଯିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଏହି ସ୍ବୀକୃତି ନିଶ୍ଚିତ ଖୁସିର ବିଷୟ।

ଜଳ ଜୀବନ ମିସନ୍ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟୟବରାଦ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିଲେ ମଧ୍ୟ ଗ୍ରାମୀଣ ଗୃହ ଯୋଜନାରେ ଓଡ଼ିଶାର ଯୁକ୍ତିଯୁକ୍ତ ଦାବିକୁ ଗ୍ରହଣ କରାଯାଉ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟର ଗରିବ ଓ ଆଦିବାସୀ ଲୋକଙ୍କୁ ଘର ମଞ୍ଜୁର ନ କରି କେନ୍ଦ୍ର ଯେଉଁ ଅନ୍ୟାୟ କରିଛି, ତାହାକୁ ସଂଶୋଧନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯିଏ କି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶୀକାର ହେଉଛି। ଓଡ଼ିଶାକୁ ସ୍ବତନ୍ତ୍ର ଭାବେ ବିବେଚନା କରିବା ପାଇଁ ବାରମ୍ବାର ଦାବି ସତ୍ତ୍ବେ ବଜେଟ୍‌ରେ ତାହା ସ୍ଥାନ ପାଇ ନ ଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଯୁକ୍ତି ବିଦ୍ୟା ଓ ଭିତ୍ତିଭୂମିର ବିକାଶ ଉପରେ ବଜେଟ୍‌ରେ ଯେଉଁ ଫୋକସ୍ ରହିଛି, ତାହାର ଏକ ସକରାତ୍ମକ ପ୍ରଭାବ ପଡ଼ିବ। ସ୍ବାସ୍ଥ୍ୟ ଓ ଶିକ୍ଷାରେ ପ୍ରସ୍ତାବିତ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ବିକାଶ ଏହି ମହାମାରୀ ସମୟରେ ଦେଶକୁ ବହୁମାତ୍ରାରେ ସହାୟକ ହେବ। ୧୪ଟି କ୍ଷେତ୍ରରେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଓ ଜରୁରୀ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍‌ର ସମ୍ପ୍ରସାରଣ ବ୍ୟବସାୟ କ୍ଷେତ୍ରରେ ଥିବା ଯୋଗାଣ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର