୫ ଲକ୍ଷ ତଳେ ସକ୍ରିୟ ମାମଲା, ଆରୋଗ୍ୟ ହାର ୯୭% ଟପିଲା

ନୂଆଦିଲ୍ଲୀ : ଦେଶରେ ୪୪,୧୧୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୭୩୮ ଜଣଙ୍କ କରୋନାରେ ମୃତ୍ୟୁ ‌ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ଦେଶରେ ୫୭,୪୭୭ ଜଣ କରୋନାରୁ ସୁସ୍ଥ ହେବା ସହ ସକ୍ରିୟ ମାମଲା ୫ ଲକ୍ଷ ତଳକୁ ଖସି ଆସିଛି। ୯୭ ଦିନ ପରେ ଦେଶରେ ସକ୍ରିୟ ମାମଲା ୫ ଲକ୍ଷ ତଳେ ରହିଛି। ମୋଟ୍‌ ସକ୍ରିୟ ମାମଲା ଏବେ ୪,୯୫, ୫୩୩ ରହିଛି। ମୋଟ୍‌ ସଂକ୍ରମଣ ମାମଲାର ଏହା ମାତ୍ର ୧.୬୨ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୭ ପ୍ରତିଶତ ଟପି ଯାଇଛି। ଦୈନିକ ଆରୋଗ୍ୟ ସଂଖ୍ୟା ଲଗାତାର ୫୧ ଦିନ ଧରି ଦୈନିକ ସଂକ୍ରମଣ ମାମଲାଠାରୁ ଅଧିକ ରହୁଛି। ‌ଆରୋଗ୍ୟ ହାର ଏବେ ୯୭.୦୬ ପ୍ରତିଶତ। ଦେଶରେ ଏଯାବତ୍‌୨,୯୬,୦୫,୭୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୦୫,୦୨,୩୬୨ରେ ପହଞ୍ଚିଥିବା ବେଳେ ୫,୦୧,୦୫୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨.୫୦ ପ୍ରତିଶତ ଥିବା‌ବେଳେ ଦୈନିକ ପଜିଟିଭ୍‌ ହାର ୨.୩୫ ପ୍ରତିଶତ ରହିଛି। ଲଗାତାର ୨୬ ଦିନ ‌ଧରି ଦୈନିକ ପଜିଟିଭ୍‌ ହାର ୫ ପ୍ରତିଶତ ତଳେ ରହିଛି। ଦେଶରେ ଟେଷ୍ଟିଂ ମଧ୍ୟ ବୃଦ୍ଧି ହୋଇଛି। ଏଯାବତ୍‌ ଦେଶରେ ୪୧.୬୪ କୋଟି ଟେଷ୍ଟ୍‌ ହୋଇଛି। ଗତ କିଛି ଦିନ ଧରି ଦେଶରେ ସଂକ୍ରମଣ ୫୦ ହଜାର ତଳେ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି, ଦେଶରେ କୋଭିଡ୍‌ ସଂକ୍ରମଣ ମାମଲାରେ ୮୬ ପ୍ରତିଶତ ହ୍ରାସ ହୋଇଛି। ତେବେ ସଂକ୍ରମଣ କମୁଥିଲେ ସୁଦ୍ଧା ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଚିନ୍ତା ବଢ଼ାଇଛି। ଜୁନ୍‌ ୩୦ ସୁଦ୍ଧା ଦେଶର ୧୨ଟି ରାଜ୍ୟରେ ୫୬ ଟି ଡେଲ୍‌ଟା ପ୍ଲସ୍‌ ମାମଲା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର