ଦେଶରେ ୫୦ ଲକ୍ଷରୁ ଅଧିକ ଆରଟି ପିସିଆର କୋଭିଡ୍‌ ଟେଷ୍ଟ୍‌

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଚିହ୍ନଟ ପାଇଁ ଦେଶରେ ୫୦ ଲକ୍ଷରୁ ଅଧିକ ଆରଟି-ପିସିଆର କୋଭିଡ୍‌ ଟେଷ୍ଟ୍‌ ହୋଇଛି। ଜୁନ୍ ୯ ସୁଦ୍ଧା ଦେଶରେ ୫୦ ଲକ୍ଷ ୩୦ ହଜାର ୭୦୦ କ‌ରୋନା ଟେଷ୍ଟ୍‌ କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ୪୧ ହଜାର ୬୮୨ ନମୁନା ଟେଷ୍ଟ୍‌ କରାଯାଇଛି। ଆଇସିଏମ୍‌ଆର (ଇଣ୍ଡିଆନ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ‌୍) ପକ୍ଷରୁ ଏହି ସୂଚନା ମିଳିଛି।

ଦେଶରେ ଦୈନିକ କରୋନା ପରୀକ୍ଷା ମଧ୍ୟ ବଢ଼ାଯାଇଛି। ଏବେ ଦୈନିକ ୧ ଲକ୍ଷ ୪୦ ହଜାର କରୋନା ଟେଷ୍ଟ୍‌ କରାଯାଉଛି। ଆଗକୁ ଦୈନିକ ୨ ଲକ୍ଷ ଟେଷ୍ଟ୍‌ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କୁହାଯାଉଛି। ଦେଶରେ ଏବେ ୭୮୯ ଲା‌ବ୍ରୋଟରି କାର୍ଯ୍ୟକ୍ଷମ ଅଛି। ୫୫୩ ସରକାରୀ ଏବଂ ୨୩୧ ଘରୋଇ ଲ୍ୟାବ୍‌ରେ କରୋନା ପରୀକ୍ଷା କରାଯାଉଛି। ମୁମ୍ବାଇ, ପୁନେ, ଦିଲ୍ଲୀ, ଅହମଦାବାଦ୍‌ ଏବଂ ଇନ୍ଦୋର ଭଳି ସହରଗୁଡ଼ିକରେ ଅନ୍ୟ ହଟ୍‌ସ୍ପଟ୍‌ ଅଞ୍ଚଳ ତୁଳନାରେ ପ୍ରାୟ ୧୦୦ ଗୁଣ ଅଧିକ ସଂକ୍ରମଣ ରହୁଛି ବୋଲି କୁହାଯାଇଛି। ତେଣୁ ଏସବୁ ଅଞ୍ଚଳରେ ଅଧିକରୁ ଅଧିକ ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ବାରୋପ କରାଯାଇଛି।

ସମ୍ବନ୍ଧିତ ଖବର