କନିକା କପୁରଙ୍କ ପାଇଁ ଆତଙ୍କ, ଅପରାଧିକ ମାମଲା ରୁଜୁ କଲେ ୟୁପି ସରକାର

ବସୁନ୍ଧରା, ଦୁଶ୍ୟନ୍ତ, ଡେରେକ୍‌ କ୍ବାରାଣ୍ଟିନ୍‌ରେ, ସାଂସଦ ଆତଙ୍କିତ, ରାଷ୍ଟ୍ରପତିଙ୍କ ସବୁ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ : ବଲିଉଡ୍‌ ଗାୟିକା କନିକା କପୁର କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଆଜି ସ୍ପଷ୍ଟ ହେବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବହୁ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। କନିକା ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା ନ କରାଇ ବିଭିନ୍ନ ପାର୍ଟିରେ ଯୋଗ ଦେଇଥିବାରୁ ତାଙ୍କ ବିରୋଧରେ ୟୁପି ସରକାର ଅପରାଧିକ ମାମଲା ରୁଜୁ କରିଛନ୍ତି। କନିକା ଲକ୍ଷ୍ନୌରେ ଯେଉଁ ହାଇ ପ୍ରୋଫାଇଲ ପାର୍ଟିରେ ଯୋଗ ଦେଇଥିଲେ ସେଠାରେ ଅନେକ ନେତା, ସାଂସଦ ଏବଂ ବରିଷ୍ଠ ଅଧିକାରୀ ଥିବାରୁ ଏବେ ଆତଙ୍କ ଖେଳି ଯାଇଛି। ପାର୍ଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେ ଏବଂ ତାଙ୍କ ପୁଅ ସାଂସଦ ଦୁଶ୍ୟନ୍ତ ସିଂହ ମଧ୍ୟ ଯୋଗ ଦେଇଥିବାରୁ ଉଭୟ ଏବେ କ୍ବାରାଣ୍ଟିନ୍‌ରେ ଅଛନ୍ତି। ଦୁଶ୍ୟନ୍ତ ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିବାରୁ ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ ବୋଲି ମଧ୍ୟ ଜଣାପଡ଼ିଛି। ଦୁଶ୍ୟନ୍ତ ସଂସଦକୁ ମଧ୍ୟ ଯାଇଥିବାରୁ ତାଙ୍କ ସହ ମିଶିଥିବା ସାଂସଦମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏବେ ସଂସଦର ଅଧିବେଶନ ବନ୍ଦ କରିବାକୁ ମଧ୍ୟ ଅନେକ ସାଂସଦ ଦାବି କରିଛନ୍ତି। ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ ଏବଂ ଟିଏମ୍‌ସି ନେତା ଡେରେକ୍‌ ଓବ୍ରେନ୍‌ ମଧ୍ୟ ଏବେ ସେଲ୍‌ଫ ଆଇସୋଲେସନରେ ଅଛନ୍ତି। କନିକା ପାର୍ଟି କରିଥିବା ହୋଟେଲକୁ ମଧ୍ୟ ବନ୍ଦ ରଖାଯାଇଛି।

ସମ୍ବନ୍ଧିତ ଖବର